ଦେବଗଡ଼,୨୬।୧୨(ଡି.ଏନ୍.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ଅଧୀନ ବରଡ଼ାନାଳି ଗ୍ରାମରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀ ଶାବକର ଆନୁମାନିକ ବୟସ ପ୍ରାୟ ୩ ବର୍ଷ ହେବ। ଶାବକଟିର ମୃତ୍ୟୁ କିପରି ଘଟିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଶରୀରରେ କୌଣସି କ୍ଷତ ଚିହ୍ନ ମଧ୍ୟ ମିଳିନାହିଁ। ଏଣୁ କୌଣସି ବୟସ୍କ ହାତୀର ଆକ୍ରମଣରେ ଉକ୍ତ ଶାବକଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି।
ଖବର ମୁତାବକ, ଆଜି ସକାଳେ ବରଡ଼ାନାଳି ଗ୍ରାମର ଫକୀର ଗଡ଼ନାୟକଙ୍କ ଗୁହାଳ ଘର ପଛପଟେ ଏକ ହାତୀ ଶାବକର ମୃତଦେହ ଦେଖିବାକୁ ପାଇ ଗ୍ରାମବାସୀ ପଳସମା ସେକ୍ସନର ଫରେଷ୍ଟର ଓ ରିଆମାଳ ରେଞ୍ଜ ଅଫିସରଙ୍କୁ ଖବର ଦେଇଥିଲେ। ଖବର ପାଇ ରେଞ୍ଜ ଅଫିସର ଭବାନୀ ଶଙ୍କର ଦାଶ ଓ ପଳସମା ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଶାବକଟିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।