କଟକ ଅଫିସ,୨୮।୨: କର୍ମ ହିଁ ମଣିଷକୁ ପରିଚୟ ଦିଏ। ହେଲେ ସମୟ ମଣିଷର କର୍ମ ଓ ପରିଚୟକୁ ବି ବଦଳାଇପାରେ। ସମୟ ବଦଳିବା ସହିତ ମଣିଷ ପାଏ ଭିନ୍ନ ପରିଚୟ। ପ୍ରତିଦିନ ବିଳମ୍ବିତ ରାତିରେ ମଙ୍ଗୁଳିଛକରେ ଚା’ ବିକୁଥିବା ହରିହର ପତିଙ୍କ କାହାଣୀ ବି ସେମିତି। ଚୌଦ୍ୱାର ଅଞ୍ଚଳରେ ଜଣେ ପ୍ରସିଦ୍ଧ ବୁଣାକାର ଭାବେ ପରିଚିତ ହରିହର ଏବେ ରାସ୍ତା କଡରେ ଜୀବନ ନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି। ଜଞ୍ଜାଳ ଭିତରେ ଘାଣ୍ଟି ହେଉଥିଲେ ସୁଦ୍ଧା ହାର୍ ମାନି ନାହାନ୍ତି…
ରାତି ବଢ଼ିବା ମାତ୍ରେ ମଙ୍ଗୁଳି ଛକରେ ଏକ ଚାଳିଆ ଦୋକାନରେ ଆଲୁଅ ଜଳେ। ଦିନରେ ବଡ଼ ବ୍ୟବସାୟୀଙ୍କ ଭିଡ ଜମୁଥିବାରୁ ରାତିରେ ହିଁ ନିଜର ଏହି ଦୋକାନରେ ଟଙ୍କା ରୋଜଗାର କରିବାକୁ ଆସନ୍ତି ହରିହର। ଭୋର ହେବା ପୂର୍ବରୁ ଦୋକାନ ବନ୍ଦ କରି ଫେରି ଯାଆନ୍ତି। ନାଇଟ୍ କୋଚ୍ ବସ୍, ଭାରୀଯାନ ଗାଡ଼ି ଏହି ଦୋକାନ ସମ୍ମୁଖରେ ଲାଗେ। ୫୮ ବର୍ଷୀୟ ହରିହରଙ୍କ କାନ୍ଧରେ ରହିଛି ପରିବାରର ବୋଝ। ସ୍ଥାନୀୟ ଅଞ୍ଚଳରେ ହରିହର ଜଣେ ଭଲ ଚା ଦୋକାନୀ ବୋଲି ସମସ୍ତେ ଜାଣିଥିଲେ ସୁଦ୍ଧା ତାଙ୍କ ଭିତରେ ଥିବା କାରିଗରୀ କଳାକୁ ଖୁବ୍କମ୍ ଲୋକ ଚିହ୍ନିଛନ୍ତି।
ଓଡ଼ିଶା ଟେକ୍ସଟାଇଲ ମିଲ୍(ଓଟିଏମ୍)ରେ ଜଣେ ନିୟମିତ କର୍ମଚାରୀ ଥିଲେ ହରିହର। ବୁଣାକାର ଭାବେ ସେ ଓଟିଏମ୍ରେ କାମ କରୁଥିଲେ। ୧୯୯୯ ମସିହାରେ ଓଟିଏମ୍ ବନ୍ଦ ହୋଇଗଲା। ହେଲେ ସେତେବେଳକୁ ତାଙ୍କ ଦରମା ଥିଲା ମାସିକ ୩୧୦୦ଟଙ୍କା। ମିଲ୍ ବନ୍ଦ ହେବା ପରେ ପରିବାର ପ୍ରତିପୋଷଣ କରିବା ଚିନ୍ତା ତାଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ କରିଥିଲା। ଓଟିଏମ୍ ପୁଣି ଥରେ ଖୋଲିବ ବୋଲି ନେତାମାନଙ୍କ ପ୍ରତିଶ୍ରୁତିକୁ ଜଗି ବସୁବସୁ ଗୋଟିଏ ବର୍ଷ ପାଣିରେ ପଡ଼ିଲା। ହେଲେ ଓଟିଏମ୍ ପୁନର୍ବାର ଚାଲୁ ହେବାର ଆଶା କ୍ଷୀଣ ହେବାରେ ଲାଗିଥିଲା। ପରିବାର ପ୍ରତିପୋଷଣ ଚିନ୍ତା ଏହି କାରିଗରଙ୍କୁ ବନାଇ ଦେଇଥିଲା ଜଣେ ଦିନ ମଜୁରିଆ। କଟକ ସମେତ ବିଭିନ୍ନ ଗଁାକୁ ଯାଇ ମଜୁରିଆ ଭାବେ କାମ କରୁଥିଲେ। ହରିହରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ। ଉଭୟଙ୍କର ବିବାହ ହୋଇ ସାରିଲାଣି। ୭ ବର୍ଷ ହେବ ସେ ମଙ୍ଗୁଳି ଛକରେ ଚା’ ଦୋକାନ କରିଛନ୍ତି। ରାତି ୧୧ଟା ପରେ ସେ ଦୋକାନ ଖୋଲନ୍ତି। ଦିନବେଳା ବଡ ଦୋକାନ ଖୋଲୁଥିବାରୁ ତାଙ୍କର ବ୍ୟବସାୟ ହେବନି ବୋଲି ହରିହରଙ୍କ ଡର ରହିଛି। ଏଣୁ ରାତିରୁ ଭୋର ପର୍ଯ୍ୟନ୍ତ ନିଜର ପସରା ଖୋଲି ବସନ୍ତି। ଗୋଟିଏ ରାତିରେ ୧୫୦ରୁ ୨୦୦ଟଙ୍କା ଲାଭ ହେଉଛି ବୋଲି ସେ କୁହନ୍ତି। ହରିହରଙ୍କର ଗୋଟିଏ କଥା ବେଶ୍ ମନକୁ ଛୁଇଁଥିଲା। ସେ କହିଥିଲେ ଯେ, ମଣିଷ ଜନ୍ମ ମିଳିଛି ମାନେ ସଂଘର୍ଷ କରିବାକୁ ବାଧ୍ୟ। ମିଲ୍ ବନ୍ଦ ହୋଇଗଲା ବୋଲି ଦୁଃଖ ଲାଗୁଛି। ଅନେକ ବୁଣାକାରଙ୍କ ଜୀବନ ବି ଦୁଃର୍ବିଷହ ହୋଇଯାଇଛି। ହେଲେ ଯେତେଦିନ ପର୍ଯ୍ୟନ୍ତ ମୋର ହାତ ଚଳୁଥିବ ସେତେଦିନ ଯାଏଁ ଦୁଇପ୍ରାଣୀ(ସେ ଓ ତାଙ୍କ ସ୍ତ୍ରୀ)ଙ୍କ ପାଇଁ ଭାତ ଯୋଗାଡ଼ କରିବାରେ ଅସୁବିଧା ହେବନି। ହରିହର ନିଜ କାହାଣୀକୁ ବଖାଣୁଥିବା ବେଳେ ସରକାରଙ୍କ ଉପରେ ଥିବା ଆକ୍ରୋଶ ବେଶ୍ ବାରି ହୋଇ ପଡୁଥିଲା।