ହାତ ଟେକି ଦେଇଛନ୍ତି ସରକାରୀ କର୍ମଚାରୀ

ବାମରା, ୨୯।୩ (ଡି.ଏନ.ଏ.)
କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଓ ସୁବିଧା ଘୋଷଣା କରଛନ୍ତି। ହେଲେ କରୋନାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ନିୟୋଜିତ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ ବ୍ଲକ କର୍ମଚାରୀଙ୍କୁ ସରକାର ମାସ୍କ ଯୋଗେଇ ପାରୁ ନାହାନ୍ତି। ବାମରା ବ୍ଲକରେ ଏପରି ପରିସ୍ଥିତି ଉପୁଜିଛି। ବାମରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ଶହେରୁ ଦୁଇ ଶହ ରୋଗୀ ଚିକିତ୍ସା ପାଇଁ ପହଞ୍ଚୁଛନ୍ତି। ହେଲେ ଡାକ୍ତର ଓ କର୍ମଚାରୀ ବିନା ମାସ୍କ ଓ ସାନିଟାଇଜରରେ ଲୋକଙ୍କ ସେବା କରୁଛନ୍ତି, ଯାହା ତାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ ବୋଲି ଆଶଙ୍କା ରହିଛି। ସେହିପରି ଲୋକଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ନିୟୋଜିତ ବ୍ଲକ ଓ ତହସିଲ କର୍ମଚାରୀ ମଧ୍ୟ ବିନା ମାସ୍କରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ବର୍ତ୍ତମାନ ସମସ୍ତ ପଞ୍ଚାୟତରେ ଭତ୍ତା ବଣ୍ଟନ ହେଉଛି। ହେଲେ ଦାୟିତ୍ୱରେ ଥିବା ଇଓ, ସରପଞ୍ଚ ଓ ଅନ୍ୟାନ୍ୟ କର୍ମଚାରୀ ମାସ୍କ, ସାନିଟାଇଜର, ଗ୍ଲୋବସ ବିନା କାମ କରୁଛନ୍ତି। ହିତାଧିକାରୀଙ୍କ ଟିପ ଚିହ୍ନ ନେବା ସହ ଟଙ୍କା ଦିଆଯାଉଛି। ତେବେ ଏ ନେଇ କୁଚିଣ୍ଡା ଉପଜିଲାପାଳ ବିଶ୍ୱରଞ୍ଜନ ନାୟକଙ୍କୁ ପଚାରିବାରୁ ବଜାରରେ ମାସ୍କ ମିଳୁ ନ ଥିବା ସେ କହିଛନ୍ତି। ଅନ୍ୟପକ୍ଷେ ବାମରା ବିଡିଓ ଗୋବିନ୍ଦ ଡନସନା ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ ନିଜ ଦାୟିତ୍ୱ ନିଜେ ନେବା ପାଇଁ ପରାମର୍ଶ ଦେଇଛନ୍ତି।

Share