ହାତ ତିଆରି ମାସ୍କ ପରେ ଏବେ ଗାମୁଛାକୁ ପସନ୍ଦ କଲେ ମୋଦି

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନକୁ ନେଇ ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ଏକ ପାରମ୍ପରିକ ଗାମୁଛା ମୁହଁରେ ବାନ୍ଧିଥିବା ଦେଖାଯାଇଥିଲା। ପ୍ରଥମେ ଏହି ଧଳା ଗାମୁଛା ମୁହଁରେ ଗୁଡାଇ ହୋଇ ମୋଦି ଦେଶବାସୀଙ୍କୁ ନମସ୍କାର କରିଥିଲେ। ଏହାପରେ ଉଦ୍‌ବୋଧନ ଦେବା ଆରମ୍ଭ କରିବା ବେଳେ ମୁହଁରୁ ଗାମୁଛାଟିକୁ ଖୋଲି ଦେଇଥିବା ଦେଖାଯାଇଥିଲା। ଗତ ଶନିବାର ପ୍ରଧାନମନ୍ତ୍ରୀ ଯେତେବେଳେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ ସେତେବେଳେ ସେ ଏକ ହାତ ତିଆରି ମାସ୍କ ଅବା ଗାମୁଛା ପିନ୍ଧିଥିବା ଦେଖାଯାଇଥିଲା। ତେବେ ଭାରତରେ କରୋନା ସଂକ୍ରମଣ ବଢି ଚାଲିଥିବାରୁ ମଙ୍ଗଳବାର ମୋଦି ଲକ୍‌ଡାଉନ ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ କରୋନା ଯୁଦ୍ଧରେ ଜିତିବାକୁ ଦେଶବାସୀ ଚେଷ୍ଟା କରୁଛନ୍ତି। ତେବେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ହୋଇଥିବାରୁ ଏବେ ସମସ୍ତଙ୍କୁ ମାସ୍କ, ଗାମୁଛା, ରୁମାଲ ଆଦି ଦ୍ୱାରା ମୁହଁ ଘୋଡାଇବାକୁ କୁହାଯାଉଛି। ଆଉ ମୋଦି ଏହି ନିୟମ ପାଳନ କରିବାକୁ ଯାଇ ମୁହଁରେ ଗାମୁଛା ବାନ୍ଧିଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୩୬୩ ହୋଇଥିବା ବେଳେ ୮,୯୮୮ ଜଣଙ୍କ ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ୧,୦୩୫ ସୁସ୍ଥ ହୋଇଥିବା ବେଳେ ୩୩୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Share