Categories: ଫୁରସତ

ହାତ ଧୋଇବା ଜରୁରୀ ଜଣାଇବାକୁ ଗୋଲମରିଚ, ସାବୁନର ବ୍ୟବହାର କଲେ ଶିକ୍ଷକ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ଆମ ଦେଶରେ ଏବେ କରୋନା ଭାଇରସରେ ୧୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏବେ ପରିଷ୍କାର ପରିଚ୍ଛନ ରହିବା ଓ ବହୁ ଥର ହାତ ଧୋଇବାକୁ କୁହାଯାଉଛି। ହେଲେ ଏହା ଛୋଟ ପିଲାମାନଙ୍କୁ ବୁଝାଇବା ସହଜ ହୋଇ ନ ଥିବା ବେଳେ ଜଣେ ଶିକ୍ଷକ ଏପରି ଢଙ୍ଗରେ ଏହାକୁ ବୁଝାଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଶିକ୍ଷକ ଜଣକ ଗୋଲ ମରିଚ ଓ ସାବୁନର ବ୍ୟବହାର କରିଛନ୍ତି। ଗୋଟିଏ ଧଳା ପାତ୍ରରେ ପାଣି ସହ କିଛି ଗୋଲ ମରିଚ ଗୁଣ୍ଡ ମିଶାଇ ରଖାଯାଇଥିବା ବେଳେ ଅନ୍ୟଏକ ପାତ୍ରରେ ସାବୁନ ରଖାଯାଇଛି। ପିଲାମାନଙ୍କୁ ଗୋଲ ମରିଚ ପାଣିଥିବା ପ୍ଲେଟରେ ହାତ ବୁଡାଇବା ପରେ ପୁଣିଥରେ ସାବୁନରେ ଧୋଇବାକୁ କୁହାଯାଉଛି। ଯାହାକୁ ପିଲାମାନେ ସହଜରେ ବୁଝି ପାରୁଛନ୍ତି। ଏହି ଭିଡିଓକୁ ଜଣେ ଟୁଇଟର ୟୁଜର ଶେୟାର କରିବା ପରେ ଏବେ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। ଏବେ ପର୍ଯ୍ୟନ୍ତ ଏହାକୁ ୩ ଲକ୍ଷ ଲାଇକ୍‌ କରାଯାଇଥିବା ବେଳେ ୧ଲକ୍ଷ ଥର ରି ଟୁଇଟ୍‌ କରାଯାଇସାରିଛି।

Share