ହାତ ଧୋଇଲା ପରେ ଗାଁକୁ ପ୍ରବେଶ ଅନୁମତି

ବଲାଙ୍ଗୀର ଅଫିସ/ଟିକ୍ରାପଡା, ୨୭ା୩ (ଡି.ଏନ୍‌.ଏ.): କରୋନା ମହାମାରୀକୁ ନେଇ ଗାଁ  ଗାଁରେ ଏବେ ଆତଙ୍କ ସ୍ଥିତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ନାହିଁ । ଏଭଳି ସ୍ଥିତିରେ ସାଧାରଣ ସ୍ବାସ୍ଥ୍ୟସେବାରୁ ବହୁ ଦୂରରେ ଥିବା ଗ୍ରାମବାସୀମାନେ ସଚେତନତା ହିଁ ପ୍ରତିଷେଧକ ବୋଲି ବିଚାର କରିବା ଆରମ୍ଭ କରିଦେଇଛନ୍ତି । ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର ହୋଇପଡୁଥିବାରୁ ଏବେ ଗାଁ ଗାଁରେ ଲୋକ ନାକାବନ୍ଦୀ କରିବା ଆରମ୍ଭ କରିଦେଇଛନ୍ତି । ବଲାଙ୍ଗୀର ଜିଲା ସଇଁତଲା ବ୍ଳକ କରମତଲା ପଞ୍ଚାୟତ ଅନ୍ତର୍ଗତ ଛନଛଡା ଗ୍ରାମର ଯୁବକମାନେ ସାମ୍ପ୍ରତିକ କରୋନା ସଂକ୍ରମଣକୁ ଆଖିଆଗରେ ରଖି ଛନଛଡା-ପେଣ୍ଡାମାଲ ଗ୍ରାମ ରାସ୍ତାରେ ଅସ୍ଥାୟୀ ପ୍ରତିରୋଧ ତିଆରି ଅବରୋଧ କରିଥିଲେ। ଫଳରେ ଛନଛଡା ଗାଁ ଭିତରକୁ ଅନ୍ୟ ଗାଁରୁ ଆସୁଥିବା ବାଇକ୍‌ ଓ ଚାରିଚକିଆ ଯାନବାହନ ଆଉ ଯାଇ ପାରୁନାହିଁ । ଅନ୍ୟ ଗାଁର କୌଣସି ଲୋକ ଗାଁକୁ ପ୍ରବେଶ କରିବା ଆଗରୁ ସେଠାରେ ସାବୁନ୍‌ରେ ହାତ ଧୋଇବାକୁ ପଡୁଛି । ହାତ ଧୋଇବା ପରେ ଲୋକେ ଅନ୍ୟ ଗାଁର ଲୋକଙ୍କୁ ଗାଁକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି । ଗାଁର ଭରତ ଭୂଷଣ ବୁଡେକ, ଉମେଶ ପୁରୋହିତ, ବାମନ ବୁଡେକ, ଦିନେଶ ପୂଜାରୀ, ଯଦୁ ବାଗ, ନବୀନ ଚୌହାନ, ସୁଦାମ ପୁରୋହିତଙ୍କ ନେତୃତ୍ୱରେ ଗାଁରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏଭଳି ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

Share