ହାତ ବାନ୍ଧି ବସିଛନ୍ତି ଦିନ ମଜୁରିଆ

ଭୁବନେଶ୍ୱର,୨୪।୩ (ବ୍ୟୁରୋ): କରୋନା ପାଇଁ ଏବେ ଦିନମଜୁରିଆଙ୍କ ଘରେ ଚୁଲି ଜଳୁନି। ପରିବାର ଲୋକେ ଉପାସ ରହୁଛନ୍ତି। ସହର ଲକ୍‌ ଡାଉନ୍‌ ଯୋଗୁ ଦିନମଜୁରିଆମାନେ କାମ କରିବାକୁ ଯାଇପାରୁ ନାହାନ୍ତି। ସେହିପରି ବିଭିନ୍ନ ବାଣିଜି୍ୟକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ଥିବାରୁ ନିର୍ମାଣାଧୀନ କାମ ମଧ୍ୟ ଠପ୍‌ ହୋଇପଡ଼ିଛି। ଫଳରେ ଶ୍ରମିକ ଓ ମିସ୍ତ୍ରିମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ୭ରୁ ଅଧିକ ଲୋକ ଏକତ୍ର ହେବା ଉପରେ କଟକଣା ଜାରି ହୋଇଥିବାବେଳେ ଲୋକେ ପ୍ରାୟ ପଦାକୁ ବାହାରୁ ନାହାନ୍ତି। ଯାହାଫଳରେ ଦିନମଜୁରିଆଙ୍କୁ କାମ ମିଳୁନାହିଁ। ତେଣୁ ଉପାସ ରହିବାକୁ ପଡୁଛି ବୋଲି ସାଲିଆ ସାହିର ଶ୍ରମିକ ଅଶୋକ ନାୟକ କହିଛନ୍ତି। ଠେଲାଗାଡ଼ିରେ ବୁଲି ବୁଲି ଗୁପଚୁପ୍‌, ଆଇସ୍କ୍ରିମ୍‌, ବାଦାମ ଓ ବୁଟ ଆଦି ବିକ୍ରି କରୁଥିବା ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ସେମାନେ କିପରି ଏବେ ପରିବାର ଚଳାଇବେ ତାହାକୁ ନେଇ ଚିନ୍ତାରେ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦିନମଜୁରିଆମାନେ ନିବେଦନ କରିଛନ୍ତି।

Share