‘ହାପି ବର୍ଥ ଡେ’ ଅମୃତା: ଚାରି ଘଣ୍ଟା ସାକ୍ଷାତକାର ପରେ ମିଳିଥିଲା ‘ବିବାହ’ରେ କାମ କରିବାର ସୁଯୋଗ, ପଡ଼ିଥିଲେ ଆର୍‌ଜେଙ୍କ ପ୍ରେମରେ

ମୁମ୍ବାଇ: ବଲିଉଡ୍‌ର ସିମ୍ପଲ ଡିଭା ମଧ୍ୟରୁ ଅଭିନେତ୍ରୀ ଅମୃତା ରାଓ ଜଣେ। ଅନେକ ହିନ୍ଦୀ ଫିଲ୍ମ ସହ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି ସେ। ଏସବୁରୁ ଅନେକ ଫିଲ୍ମ ତାଙ୍କୁ ସଫଳତା ଆଣି ଦେଇଥିବା ସତ୍ତ୍ୱେ ସେ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ବଲିଉଡ୍‌ରେ କାମ କରିବା ଲାଗି ସୁଯୋଗ ମିଳୁଥିଲେ ହେଁ ସେ ହଁ ଭରୁନାହାନ୍ତି। ବିବାହ ପରେ ପରିବାରକୁ ଗୁରୁତ୍ୱ ଦେଉଥିବା ଯୋଗୁ ଏପରି କରୁଥାଇପାରନ୍ତି ବୋଲି ଜଣାଯାଏ। ତେବେ ଆଜି ହେଉଛି ଏହି ଚୁଲବୁଲି ତଥା ଦର୍ଶକଙ୍କ ମନରେ ସରଳତାର ଛବି ଆଙ୍କିଥିବା ଅମୃତାଙ୍କ ‘ହାପି ବର୍ଥ ଡେ’। ଏହି ଅବସରରେ ତାଙ୍କ ଅତିତର କିଛି ସ୍ମୃତିକୁ ସାଉଁଟିବା।

୨୦୦୨ରେ ସେ ଫିଲ୍ମ ‘ଅବ୍‌ କେ ବରସ୍‌’ ଯୋଗେ ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମଟି କିନ୍ତୁ ଏତେଟା ସଫଳ ହୋଇ ନ ଥିଲା। ଏହାପରେ ହିନ୍ଦୀ ସିନେମା ‘ଇସ୍କ ବିସ୍କ’ କରି ଦର୍ଶକଙ୍କ ମନକୁ କିଣିଥିଲେ। ଅମୃତାଙ୍କ ସବୁଠାରୁ ସଫଳ ସିନେମା କିନ୍ତୁ ଥିଲା ‘ବିବାହ’। ଫିଲ୍ମଟି ପାଇଁ ସେ ଚାରି ଘଣ୍ଟା ଧରି ସାକ୍ଷାତକାର ଦେଇଥିଲେ। ଏହାପରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ତାଙ୍କୁ ଫିଲ୍ମରେ କାମ କରିବା ସୁଯୋଗ ଦେଇଥିଲେ। ସେହିଭଳି ସୁରଜଙ୍କ ଆଉ ଏକ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ ଲାଗି ତାଙ୍କୁ ଅଫର ମିଳିଥିଲା। ହେଲେ ସେଥିରେ ସଲମାନଙ୍କ ଭଉଣୀ ଚରିତ୍ରରେ ସେ ଅଭିନୟ କରିଥାନ୍ତେ। ଏହା ଜାଣିବା ପରେ ଅମୃତା ସୁଯୋଗକୁ ସିଧାସିଧା ମନା କରିଦେଇଥିଲେ। ଏହାଛଡ଼ା ଆଉ ଏକ ଘଟଣାକୁ ନେଇ ମଧ୍ୟ ଅମୃତା ଚର୍ଚ୍ଚାର ଶିରୋନାମା ପାଲଟିଥିଲେ। କାରଣଟି ଥିଲା ସେ ଫିଲ୍ମ ‘ପ୍ୟାରେ ମୋହନ’ର ଶୁଟିଂ ସମୟରେ ଅଭିନେତ୍ରୀ ଇଶା ଦେଓଲଙ୍କୁ ଚାପୁଡ଼ା ମାରିଥିଲେ। ଇଶା ତାଙ୍କୁ ଗାଳି ଦେଇଥିବା ହେତୁ ସେ ଏପରି କରିଥିବା ଜଣାପଡ଼ିଥିଲା।

ଅମୃତାଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ତେବେ ସେ ଏବେ ବିବାହିତା। ସାତ ବର୍ଷ ଧରି ପ୍ରେମିକ ତଥା ଆର୍‌ଜେ ଅନ୍‌ମୋଲଙ୍କୁ ଡେଟ୍‌ କରିବା ପରେ ସେ ଗୋପନରେ ବିବାହ କରିଥିଲେ। ଅନମୋଲ ଏ ନେଇ ନିଜ ଟୁଇଟରରେ ସୂଚନା ଦେବା ପରେ ଅମୃତାଙ୍କ ବିବାହ ସରିଥିବା ଅନେକ ଜାଣିବାକୁ ପାଇଥିଲେ।

Share