ହାଫିଜ୍‌ଙ୍କୁ ମିଳିଲା ଆଗୁଆ ଜାମିନ

ଲାହୋର,୧୬ା୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦ ଓ ତାଙ୍କର ୩ ସହଯୋଗୀଙ୍କୁ ପାକିସ୍ତାନର ଲାହୋର ଆତଙ୍କ ନିରୋଧୀ ଅଦାଲତ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବେଆଇନଭାବେ ଏହି ନିଷିଦ୍ଧ ସଙ୍ଗଠନ ମଦ୍ରାସା ଲାଗି ଜମି ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ହାଫିଜ୍‌ଙ୍କ ବ୍ୟତୀତ ତାଙ୍କ ସହଯୋଗୀ ହାଫିଜ ମସୁଦ, ଅମୀର ହମ୍‌ଜା, ମଲିକ ଜାଫର ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ସିଓରିଟି ବଣ୍ଡ ମାଧ୍ୟମରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି। ହାଫିଜ୍‌ଙ୍କ ଓକିଲ କୌଣସି ଜମି ବେଆଇନଭାବେ ଗ୍ରହଣ କରାଯାଇ ନ ଥିବା କହି ଜାମିନ ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ। ପ୍ରକାଶଥାଉ କି, ଜେୟୁଡିର ୩୦୦ ମଦ୍ରାସା, ସ୍କୁଲ, ହସ୍ପିଟାଲ, ଆମ୍ବୁଲାନ୍ସ ସର୍ଭିସ, ପବ୍ଲିସିଂ ହାଉସ ରହିଛି। ଗତ ମାର୍ଚ୍ଚରେ ପଞ୍ଜାବ ପୋଲିସ ଜେୟୁଡିର ୧୬୦ ମଦ୍ରାସା, ୩୨ ସ୍କୁଲ, ୨ କଲେଜ, ୪ ହସ୍ପିଟାଲ, ୧୭୮ ଆମ୍ବୁଲାନ୍ସ, ୧୫୩ ହସ୍ପିଟାଲକୁ ସିଜ୍‌ କରିଥିଲା।

Share