ହାଫିଜ୍‌ ସୟିଦଙ୍କୁ ୧୧ ବର୍ଷ ଜେଲ

ଲାହୋର,୧୩ା୨(ପି.ଟି.): ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ ସୟିଦଙ୍କୁ ପାକିସ୍ତାନର ଏକ ଅଦାଲତ ୧୧ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ଦୁଇଟି ମାମଲାରେ ହାଫିଜଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ଏହି ଦଣ୍ଡାଦେଶ ଦିଆଯାଇଛି। ଏହି ମାମଲାରେ ତାଙ୍କୁ ଗତବର୍ଷ ଜୁଲାଇ ୧୭ରେ ଗିରଫ କରାଯାଇ ଲାହୋରର କୋଟ୍‌ ଲଖପତ୍‌ ଜେଲ୍‌ରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା। ପ୍ରତି ମାମଲାରେ ଅଦାଲତ ହାଫିଜଙ୍କୁ ୫ ବର୍ଷ ୬ ମାସ ଲେଖାଏ ଜେଲ୍‌ଦଣ୍ଡ ଏବଂ ୧୫,୦୦୦ ଟଙ୍କା ଅର୍ଥଦଣ୍ଡ ଶୁଣାଇଛନ୍ତି। ଡିସେମ୍ବର ୧୧ରେ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ହାଫିଜ୍‌ ଓ ତାଙ୍କ ସହଯୋଗୀମାନଙ୍କୁ ଦୋଷୀ ଦର୍ଶାଇଥିଲା। ଗତ ଶନିବାର ଏଟିସି ଜଜ୍‌ ଅର୍ସାଦ୍‌ ହୁସେନ୍‌ ଭଟ୍ଟ ମାମଲାର ଶୁଣାଣି କରି ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ହାଫିଜ୍‌ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି) ପକ୍ଷରୁ ୨୩ଟି ଏତଲା ଦାଏର ହୋଇଥିଲା ଏବଂ ଏଟିସିରେ ୨୦ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ।
୨୦୧୯ ଜାନୁୟାରୀ ୧ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା କମିଟି ବୈଠକ ବସି ହଫିଜ୍‌ଙ୍କ ବିରୋଧରେ କଟକଣା ଲଗାଇବା ପରେ ସିଟିଡି ପକ୍ଷରୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିଲା। ଜାତିସଂଘ ସୁରକ୍ଷା ପରିଷଦ ୨୦୦୮ରେ ହଫିଜ୍‌ଙ୍କୁ ଆତଙ୍କବାଦୀ ଘୋଷଣା କରିଥିବାବେଳେ ଆମେରିକା ତାଙ୍କୁ ବିଶ୍ୱ ଆତଙ୍କବାଦୀର ଆଖ୍ୟା ଦେଇଥିଲା। ତାଙ୍କୁ ଆଇନର କାଠଗଡ଼ାକୁ ଆଣିବା ପାଇଁ ସୂଚନାଦାତାଙ୍କୁ ୧୦ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ୨୦୧୨ରେ ଆମେରିକା ଘୋଷଣା କରିଥିଲା।

Share