Categories: ଖେଳ

ହାମିଲ୍‌ଟନ ଜିତିଲେ ରୁଷିଆନ ଗ୍ରାଁ ପ୍ରି

ସୋଚି, ୨୯।୯-ମର୍ସିଡିଜ୍‌ ଡ୍ରାଇଭର ବ୍ରିଟେନର ଲୁଇସ ହାମିଲ୍‌ଟନ ରବିବାର ଅନୁଷ୍ଠିତ ରୁଷିଆନ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରୁଷିଆରେ ଏହା ହାମିଲ୍‌ଟନଙ୍କ ୪ର୍ଥ ଏବଂ ଓଭରଅଲ୍‌ ୮୨ତମ ଗ୍ରାଁ ପ୍ରି ବିଜୟ। ୨ ନମ୍ବର ଗ୍ରିଡ୍‌ରୁ ରେସ୍‌ ଆରମ୍ଭ କରିଥିବା ହାମିଲଟନଙ୍କୁ ସାଥି ଡ୍ରାଇଭର ଭାଲ୍‌ଟେରୀ ବୋଟ୍ଟାସ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ ୨ ନମ୍ବର ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ପୋଲ୍‌ ପୋଜିଶନ ପାଇଥିବା ଫେରାରୀର ଚାଲର୍‌ସ ଲେକ୍‌ରେକ୍‌ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଫଳରେ ଏହି ୩ ଡ୍ରାଇଭରଙ୍କୁ ଯଥାକ୍ରମେ ୨୬, ୧୮ ଓ ୧୫ ପଏଣ୍ଟ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ, ଆଲେକ୍‌ଜାଣ୍ଡର ଆଲବନ, ମ୍ୟାକ୍‌ଲରେନର କାର୍ଲୋସ ସିଞ୍ଜ ଜୁନିୟର, ରେିଂ ପଏଣ୍ଟର ସର୍ଗିଓ ପେରେଜ, ମ୍ୟାକ୍‌ଲରେନର ଲାନ୍‌ଲୋ ନୋରିସ, ହାସ୍‌ର କେଭିନ ମ୍ୟାଗ୍ନୁସେନ ଓ ରେନଲ୍ଟର ନିକୋ ହକେନବର୍ଗ ଟପ୍‌-୧୦ ଫିନିଶ୍‌ କରି ପଏଣ୍ଟ ହାସଲ କରିଛନ୍ତି। ଏହି ରେସ୍‌ ପରେ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ହାମିଲଟନ ୯ ଗ୍ରାଁ ପ୍ରି ବିଜୟ ସହ ୩୨୨ ପଏଣ୍ଟ ପାଇ ଶୀର୍ଷସ୍ଥାନକୁ ମଜଭୁତ କରିଛନ୍ତି। ଅନ୍ୟତମ ମର୍ସିଡିଜ୍‌ ଡ୍ରାଇଭର ବୋଟ୍ଟାସ ୨ ବିଜୟ ସହ ୨୪୯, ଫେରାରୀର ଲେକ୍‌ରେକ୍‌ ୨ ବିଜୟ ସହ ୨୧୫ ଓ ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ ୨ ବିଜୟ ସହ ୨୧୨ ପଏଣ୍ଟ ପାଇ ପଛକୁ ପଛ ରହିଛନ୍ତି। କନ୍‌ଷ୍ଟ୍ରକ୍ଟର୍ସ ଷ୍ଟାଣ୍ଡିଂରେ ମର୍ସିଡିଜ୍‌ ୫୭୧ ପଏଣ୍ଟ ପାଇ ଶୀର୍ଷସ୍ଥାନ ବଜାୟ ରଖିଥିବାବେଳେ ଫେରାରୀ ୪୦୯ ଏବଂ ରେଡ୍‌ବୁଲ୍‌ ୩୧୧ ପଏଣ୍ଟ ସହିତ ପରବର୍ତ୍ତୀ ୨ ସ୍ଥାନ ଅଧିକାର କରିଛନ୍ତି।

Share