Categories: ଜାତୀୟ

ହାରିଗଲେ ଭାଜପାର ଏହିସବୁ ପ୍ରମୁଖ ପ୍ରାର୍ଥୀ

ମୁମ୍ବାଇ/ଚଣ୍ଡିଗଡ,୨୪।୧୦: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଭାଜପା-ଶିବସେନା ମେଣ୍ଟ ସରsକାର ଗଢିବାକୁ ଯାଉଥିବାବେଳେ ହରିୟାଣାରେ ଝୁଲା ବିଧାନସଭା ହୋଇଛି। ଦୁଇ ରାଜ୍ୟର ନିର୍ବାଚନରେ ଭାଜପାର ପ୍ରମୁଖ ପ୍ରାର୍ଥୀ ପରାଜୟର ସାମ୍ନା କରିବାକୁ ପଡିଛି।

କ୍ୟାପ୍ଟେନ ଅଭିମନ୍ୟୁ
ହରିୟାଣାରେ ଭାଜପାକୁ ଶକ୍ତ ଝଟକା ଲାଗିଛି। ୨୦୧୪ରୁ କ୍ଷମତାସୀନ ବିଜେପି ସରକାରରେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା କ୍ୟାପ୍ଟେନ ଅଭିମନ୍ୟୁ ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ତାଙ୍କୁ ଦଳ ନାରନାଉଣ୍ଡ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ସେ ଏଠାରେ ପରାସ୍ତ ହୋଇଛନ୍ତି। କ୍ୟାପ୍ଟେନ ଅଭିମନ୍ୟୁଙ୍କ ବିରୋଧରେ ଏଠାରେ ଦ୍ୟୁଷନ୍ତ ଚୌଟାଲାଙ୍କ ଦଳ ଜେଜେପି ରାମ କୁମାର ଗୌତମଙ୍କୁ ଟିକେଟ ଦେଇଥିଲା।

ପଙ୍କଜା ମୁଣ୍ଡେ
ଭାଜପା ଦଳର ବରିଷ୍ଠ ନେତ୍ରୀ ତଥା ଫଡନାଭିସ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ମୁଣ୍ଡେ ପରାସ୍ତ ହୋଇଛନ୍ତି। ତାଙ୍କୁ ଭାଜପା ପକ୍ଷରୁ ପର୍ଲି ଆସନରୁ ପ୍ରାର୍ଥୀ କରାଯାଇଥିଲା। ଏଠାରେ ତାଙ୍କର ମୁକାବିଲା ସମ୍ପର୍କୀୟ ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ଧନଞ୍ଜୟ ମୁଣ୍ଡେଙ୍କ ସହ ହୋଇଥିଲା। ସେ ତାଙ୍କୁ ୨୮ ହଜାର ଭୋଟରେ ପରାସ୍ତ କରିଛନ୍ତି।

ସୁଭାଷ ବରଲା
ହରିଆଣା ଭାଜପା ସଭାପତି ସୁଭାଷ ବରଲା ପରାଜୟର ସାମ୍ନା କରିଛନ୍ତି। ଏଥିପାଇଁ ନିଜକୁ ଦାୟୀ କରି ସେ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।

ସୋନାଲି ଫୋଗଟ
ହରିଆଣାର ଆଦମପୁରରୁ ଭାଜପା ଟିକଟକ୍‌ ଷ୍ଟାର ସୋନାଲି ଫୋଗଟ୍‌ଙ୍କୁ ପ୍ରାର୍ଥୀ କରିଥିଲା। ଟିକଟକରେ ତାଙ୍କର କ୍ରେଜ ଥିବାରୁ ଅଦାମପୁରର ଲୋକମାନେ ମଧ୍ୟ ତାଙ୍କୁ ଭୋଟ ଦେବେ ବୋଲି ଦଳ ଆଶା କରିଥିଲା। ହେଲେ ସୋନାଲି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କୁଲଦୀପ ବିଶୋଇଙ୍କ ଠାରୁ ୨୯, ୪୭୧ ଖଣ୍ତ ଭୋଟରେ ପରାସ୍ତ ହୋଇଛନ୍ତି।

କବିତା ଜୈନ
ହରିୟାଣା ଭାଜପା ସରକାରରେ ମନ୍ତ୍ରୀ ଥିବା କବିତା ଜୈନ କଂଗ୍ରେସ ପ୍ରାର୍ଥୀ ଉରେନ୍ଦ୍ର ପାଓ୍ବାରଙ୍କଠାରୁ ୩୨୮୬୧ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି।

Share