Categories: ଖେଳ

ହାର୍ଟ ଅପରେଶନ କରିବେ ଲେହମ୍ୟାନ

ସିଡ୍‌ନୀ, ୫।୨ (ଏଏଫ୍‌ପି): ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ତଥା କୋଚ୍‌ ଡାରେନ ଲେହମ୍ୟାନ ହାର୍ଟ ବାଇପାସ ଅପରେସନ କରିବେ। ବୁଧବାର ଛାତିରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଷ୍ଟ୍ରେଲିଆର ଏହି ଲୋକପ୍ରିୟ କ୍ରିକେଟର୍‌ଙ୍କ ବୁଧବାର ୫୦ତମ ଜନ୍ମଦିବସ ଥିଲା। ଏହି ଅବସରରେ ସେ ଗୋଲ୍ଡ କୋଷ୍ଟରେ ଉପସ୍ଥିତ ରହି ପୁଅର କ୍ରିକେଟ୍‌ ମ୍ୟାଚ୍‌ ଉପଭୋଗ କରୁଥିଲେ। ତେବେ ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା। ହସ୍ପିଟାଲରେ ଲେହମ୍ୟାନଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ କରିଥିବାବେଳେ ଆସନ୍ତା ଶନିବାର ତାଙ୍କର ହାର୍ଟ ଅପରେସନ ହେବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ କୁହାଯାଇଛି। ‘ମୋତେ ସବୁଠୁ ଭଲ ଚିକିତ୍ସା ସେବା ମିଳିଛି। ସେଥିପାଇଁ ପୁରା ଅଷ୍ଟ୍ରେଲିଆ କ୍ରିକେଟ୍‌ ପରିବାକୁ ଧନ୍ୟବାଦ ଦେବାକୁ ଚାହିଁବି। ବହୁତ୍‌ ଶୀଘ୍ର ମୁଁ ସୁସ୍ଥ ହୋଇଯିବା ନେଇ ବିଶ୍ୱାସ ରହିଛି’ ବୋଲି ଏହି ପୂର୍ବତନ ବାମହାତୀ ଅଲ୍‌ରାଉଣ୍ଡର କହିଛନ୍ତି। ଲେହମ୍ୟାନ ଅଷ୍ଟ୍ରେଲିଆ ପକ୍ଷରୁ ୧୧୭ ଦିନିକିଆ, ୨୭ ଟେଷ୍ଟ ଓ ୧୭ ଟି୨୦ ମ୍ୟାଚ୍‌ ଖେଳିଥିଲେ। କ୍ରିକେଟ୍‌ରୁ ଅବସର ପରେ ସେ ଜାତୀୟ ଦଳର ପ୍ରଶିକ୍ଷଣ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ବହୁଚର୍ଚ୍ଚିତ ବିବାଦୀୟ ବଲ୍‌ ଟ୍ୟାମ୍ପରିଂ ମାମଲା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତେବେ ନିକଟରେ ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ରେ ସେ ବ୍ରିସବେନ ହିଟ୍ସର କୋଚିଂ ଭାର ଗ୍ରହଣ କରିଛନ୍ତି।

Share