Categories: ଖେଳ

ହାର୍ଟ ଆଟାକ୍‌ରେ ତ୍ରିପୁରା କ୍ରିକେଟର୍‌ଙ୍କ ବିୟୋଗ

ଅଗରତାଲା, ୫।୧୨- ଏକ ଅଭାବନୀୟ ଘଟଣାକ୍ରମେ ତ୍ରିପୁରାର ଜଣେ ଯୁବ କ୍ରିକେଟର୍‌ ଅଭ୍ୟାସ କରୁଥିବାବେଳେ ହାର୍ଟ ଆଟାକ୍‌ରେ ପ୍ରାଣ ହରାଇଛନ୍ତି। ମହାରାଜା ବୀର୍‌ ବିକ୍ରମ କ୍ରିକେଟ୍‌ ଷ୍ଟାଡିୟମରେ ଏହି ଅଘଟଣ ଘଟିଥିଲା। ତାଙ୍କ ନାମ ମିଥୁନ ଦେବବର୍ମା ହୋଇଥିବାବେଳେ ସେ ତ୍ରିପୁରା ୨୩ ବର୍ଷରୁ କମ୍‌ ଦଳର ସଦସ୍ୟ ଥିଲେ। ସାଥୀ ଖେଳାଳିଙ୍କ କହିବାନୁଯାୟୀ, ପ୍ରାକ୍ଟିସ ସେସନରେ ଦେବବର୍ମା ଫିଲ୍ଡିଂ କରୁଥିବାବେଳେ ହଠାତ୍‌ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ହାଟ୍‌ ଆଟାକ୍‌ର ସମ୍ମୁଖୀନ ହୋଇ ମେଡିକାଲ ଆସିବା ବାଟରେ ତାଙ୍କର ପ୍ରାଣବାୟୂ ଚାଲି ଯାଇଥିଲା ବୋଲି ଡାକ୍ତର କହିଛନ୍ତିି। ଏହି ଘଟଣା ପରେ ତ୍ରିପୁରା କ୍ରିକେଟ୍‌ ଆସୋସିଏଶନ (ଟିସିଏ) ସଭାପତି ଡ. ମାନିକ ଶାହା ଓ ଅନ୍ୟ ସିନିଅର ଅଫିସିଆଲ ହସ୍ପିଟାଲରେ ପହଞ୍ଚତ୍ଥିଲେ।

Share