Categories: ଖେଳ

ହାର୍ଦ୍ଦିକଙ୍କ ପ୍ରତି ବର୍ଣ୍ଣବୈଷମ୍ୟ କମେଣ୍ଟକୁ ବିରୋଧକଲେ ଫ୍ୟାନ୍ସ

ନୂଆଦିଲ୍ଲୀ,୩।୧- ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ତାଙ୍କ ବାନ୍ଧବୀ ସର୍ବୀୟ ଅଭିନେତ୍ରୀ ନତାଶା ଷ୍ଟାନ୍‌କୋଭିକଙ୍କ ସହ ନିର୍ବନ୍ଧ ହୋଇଛିି। ସୋସିଆଲ ମିଡିଆରେ କିଛି ଫଟୋ ଶେୟାରକରି ହାର୍ଦ୍ଦିକ ଏ ନେଇ ଘୋଷଣା କରିଥିଲେ। ଟୁଇଟର, ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ଶେୟାର କରାଯାଇଥିବା ଫଟୋରେ କେତେଜଣ ପ୍ରଶଂସକ ବର୍ଣ୍ଣବୈଷମ୍ୟ ଭେଦଭାବ କରିଥିଲେ। ଜଣେ ୟୁଜର ଲେଖିଥିଲେ, ବ୍ରାଇଟନେସ୍‌ ବଢ଼ାଇଲେ ଭାଉଜ ଦେଖାଯିବେ ନାହିଁ, ଆଉ କମାଇଲେ ପାଣ୍ଡ୍ୟା ଗାଏବ। ଆଉ ଜଣେ ଲେଖିଛନ୍ତି, ମାଙ୍କଡ଼ ହାତରେ ଶାଳଗ୍ରାମ। ଏପରି କି ପାଣ୍ଡ୍ୟା ଓ ଷ୍ଟାନ୍‌କୋଭିକ୍‌ଙ୍କୁ ରସଗୋଲା ଓ ଗୋଲାପଜାମୁ ସହ ତୁଳନା କରିଛନ୍ତି। ଏଭଳି ଆହୁରି କିଛି କମେଣ୍ଟ ରହିଛି, ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ। ବର୍ଣ୍ଣବୈଷମ୍ୟ ଭେଦଭାବକୁ ବିରୋଧକରି ପାଣ୍ଡ୍ୟାଙ୍କୁ ସମର୍ଥନ କରିଛନ୍ତି ଅନ୍ୟ ଫ୍ୟାନ୍‌ମାନେ। ଜଣେ ଟୁଇଟ୍‌ କରି ଲେଖିଛନ୍ତି, ଲୋକେ ପାଣ୍ଡ୍ୟାଙ୍କୁ ନିର୍ବନ୍ଧ ଲାଗି ସମାଲୋଚନା କରୁଛନ୍ତି। କିନ୍ତୁ ସେ ଯେଉଁଠାରୁ ଏପର୍ଯ୍ୟନ୍ତ ଆସିଛନ୍ତି, ତାକୁ ଉତ୍ସାହିତ କରୁନାହାନ୍ତି। ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ସେ ସବୁ କିଛି ହାସଲ କରିଛନ୍ତି। ତାଙ୍କୁ ସମାଲୋଚନା କରିବା ବଦଳରେ ତାଙ୍କଠୁ କିଛି ଶିକ୍ଷା ନିଅ। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି, ମୁଁ ହାର୍ଦ୍ଦିକଙ୍କ ଫ୍ୟାନ୍‌ ନୁହେଁ। କିନ୍ତୁ ଜଣଙ୍କ ରଙ୍ଗକୁ କଟାକ୍ଷ କରିବା ଉଚିତ ନୁହେଁ। ସମାଲୋଚକଙ୍କୁ ସ୍କୁଲ ଶିକ୍ଷା ଆଉ ଥରେ ନେବା ଦରକାର।

Share