Categories: ଭଦ୍ରକ

ହାର ମାନିନାହାନ୍ତି ଦିବ୍ୟାଙ୍ଗ ଦମ୍ପତି

ବନ୍ତ,୨୩।୨(ସ୍ବ.ପ୍ର.)-ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଦିବ୍ୟାଙ୍ଗ। ସ୍ବାମୀ ପୋଲିଓ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇଥିବାବେଳେ ସ୍ତ୍ରୀଙ୍କ ପିଠିରେ ଏକ ବଡ଼ କୁବ୍ଜ ବାହାରି ଥିବାରୁ ସିଧାହୋଇ ଚାଲି ପାରୁନାହାନ୍ତି। ତଥାପି ସେମାନେ ଅନ୍ୟ ଉପରେ ନିର୍ଭର ନ କରି ନିଜେ ପରିଶ୍ରମ କରି ନିଜ ପରିବାର ଚଳାଉଛନ୍ତି। ସୁସ୍ଥ ସବଳ ଯୁବକମାନେ ବେକାର ହୋଇ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଭୂମିହୀନ ହୋଇ ବି ଅନ୍ୟ ଜମିରେ ଭାଗଚାଷ କରି ପେଟ ପୋଷୁଛନ୍ତି। ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ଏହି ଦିବ୍ୟାଙ୍ଗ ଦମ୍ପତି। ଅନ୍ୟ ପାଇଁ ଉଦାହରଣ ସାଜିଥିବା ଏହି ଦମ୍ପତି ହେଉଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ନିମଗଢିଆ ଗ୍ରାମର ଅଭିମନ୍ୟୁ ଜେନା(୩୨) ଓ ସବିତା ଜେନା।
ଏହି ଗ୍ରାମର ସ୍ବର୍ଗତ କହ୍ନେଇ ଜେନାଙ୍କ ସାନପୁଅ ଅଭିମନ୍ୟୁ କହନ୍ତି, ତାଙ୍କୁ ୧୬ବର୍ଷ ହୋଇଥିବା ବେଳେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାରର ଆର୍ଥିକ ସ୍ଥିତି ଖରାପ ଯୋଗୁ ଚିକିତ୍ସା ହୋଇପାରି ନ ଥିଲେ। ପୋଲିଓ ଆକ୍ରାନ୍ତ ଦୁଇଗୋଡ଼ କ୍ରମଶଃ ସରୁ ହୋଇଯାଇ ଅକାମୀ ହୋଇଗଲା। ଫଳରେ ସେ ଚାଲିବାକୁ ଅକ୍ଷମ ହୋଇଗଲେ। ଦୁଇ ହାତକୁ ଭୂମି ଉପରେ ଆଶ୍ରା କରି ବହୁକଷ୍ଟରେ ଘୁଷୁରି ଘୁଷୁରି ଚଳପ୍ରଚଳ କରୁଛନ୍ତି। ତାଙ୍କ ସ୍ତ୍ରୀ ସବିତାଙ୍କ ପିଠିରେ କୁବ୍ଜ ବାହାରିଥିବାରୁ ସେ ମଧ୍ୟ ଠିକ୍‌ ଭାବେ ଅଣ୍ଟା ସଳଖି ଚାଲିପାରୁ ନାହାନ୍ତି। ଏପରି ସ୍ଥଳେ ତାଙ୍କର ୨ ପୁଅକୁ ମିଶାଇ ୪ ଜଣଙ୍କ ପେଟ ପୋଷିବାକୁ ସେ ଓ ସବିତା ସଂଘର୍ଷ ଜାରି ରଖିଛନ୍ତି। ଗଁ।ର ଅନ୍ୟ ଚାଷୀଙ୍କଠାରୁ ୧ ଏକରରୁ ଊର୍ଦ୍ଧ୍ୱ ଜମି ଭାଗ ଚାଷରେ ଆଣି ଖରିଫରେ ଧାନ ଚାଷ କରିଥିବାବେଳେ ରବିଋତୁରେ ପନିପରିବା ଓ ମୁଗ, ବିରି ଚାଷ ମଧ୍ୟ କରିଛନ୍ତି। ସେ ନିଜେ ପରିବା ବାଡ଼ିରେ ଦିନସାରା କାମ କରୁଥିବାବେଳେ ଆବଶ୍ୟକ ବେଳେ ମଜୁରି ଲଗାଇ କାମ ଉଠାଉଛନ୍ତି। ସ୍ତ୍ରୀ ସବିତା ମଧ୍ୟ କାମରେ ସହାୟତା କରନ୍ତି। ସେଥିରେ ନିଜେ ଚଳିବା ସହିତ ପିଲା ୨ ଜଣଙ୍କୁ ପାଠ ପଢାଉଛନ୍ତି। ଦିବ୍ୟାଙ୍ଗ ଭତ୍ତା ଆଉ ରାଶନ କାର୍ଡରେ ମିଳୁଥିବା ସହାୟତା ତାଙ୍କର ସମ୍ବଳ। ତାଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଇସାଇକେଲ ମିଳିଛି। ସରକାରଙ୍କ ପକ୍ଷରୁ କୌଣସି ସୂତ୍ରରୁ ଆର୍ଥତ୍କ ସହାୟତା ଯୋଗାଇ ଦିଆଗଲେ ଅଧିକ ଜମି ଚାଷ କରି ଅଧିକ ରୋଜଗାର ହୋଇପାରନ୍ତା ବୋଲି ଅଭିମନ୍ୟୁ ଆଶାବ୍ୟକ୍ତ କରିଛନ୍ତି।