ଭୁବନେଶ୍ୱର,୧୮ା୧୧(ବ୍ୟୁରୋ):ଦକ୍ଷିଣ ଆଣ୍ଡାମାନ ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ରୂପନେବ। ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଏହାର ପ୍ରଭାବ ଅଧିକ ରହିବ। ମାତ୍ର ଓଡ଼ିଶାରେ ଏହାର ପ୍ରଭାବ ସେତେଟା ରହିବ ନାହିଁ। ଉପକୂଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକା ବର୍ଷା ହେବ। ଲଘୁଚାପ ଯୋଗୁ ଶୀତ ଶୁକ୍ରବାରଠାରୁ କମିବ। ସର୍ବନିମ୍ନ ପାରଦ ୨ରୁ ୩ ଡିଗ୍ରୀ ବଢ଼ିବ। ଆସନ୍ତା ୨୩ ତାରିଖ ଯାଏ ଏଭଳି ପାଗ ରହିବ। ୨୪ରୁ ପୁଣି ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଗତ କିଛିଦିନ ହେବ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନକୁହୁଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ୯ ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲ୍ସିୟସ ତଳେ ରହିଛି । ଶିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି.ଉଦୟଗିରିରେ ୮ଡିଗ୍ରୀ, ଫୁଲବାଣୀ ୧୦ ଡିଗ୍ରୀ, କୋରାପୁଟ ୧୦ ଡିଗ୍ରୀ, ଦାରିଙ୍ଗବାଡ଼ି ୧୦.୫ ଡିଗ୍ରୀ, ଭବାନୀପାଟଣା ୧୨ ଡିଗ୍ରୀ, ବୌଦ୍ଧ ୧୨ ଡିଗ୍ରୀ, ଝାରସୁଗୁଡ଼ା ୧୩.୨ ଡିଗ୍ରୀ, କେନ୍ଦୁଝରରେ ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।