ହାସ୍ୟ ଅଭିନୟ କରିବାକୁ ଆଗ୍ରହୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ହାସ୍ୟ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୧୯୮୫ରେ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତାହା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଅଭିନୟ ପାଇଁ ଅଫର ତାଙ୍କ ପିଛା ଛାଡିନି। ୨୦୧୮ରେ ତାଙ୍କ ଅଭିନୀତ ଫିଲ୍ମ ହେଉଛି ‘ବଧାଇ ହୋ’। ୬୦ ବର୍ଷୀୟା ଅଭିନେତ୍ରୀ ବର୍ତ୍ତମାନ ହାସ୍ୟରସାତ୍ମକ ଅଭିନୟ କରିବାକୁ ଉତ୍କଣ୍ଠିତ ଥିବା ପ୍ରକାଶ କରିଛନ୍ତି। ‘ପାଙ୍ଗା’ ଅଥବା ଅକ୍ଷୟ କୁମାରଙ୍କ ଅଭିନୀତ ‘ସୂର୍ଯ୍ୟବଂଶୀ’ରେ ନୀନା ମା’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ସେ ଏଣିକି କମେଡି ରୋଲ୍‌ରେ ଦୃଶ୍ୟମାନ ହେବାକୁ ଚାହାନ୍ତି। ଏପରି କି ସେ ଅବସ୍ଥା ଓ ପରିସ୍ଥିତିକୁ ଚାହିଁ ଭଲ କମେଡି କରିପାରିବେ ବୋଲି ପ୍ରକାଶ କରିଛନ୍ତି। ଅଭିନୟ ପାଇଁ ତାଙ୍କୁ ଦୁଇଥର ଜାତୀୟ ପୁରସ୍କାର ମିଳିଛି। ‘ବଧାଇ ହୋ’ ପରେ ନେଟ୍‌ଫ୍ଲିକ୍ସ ଫିଲ୍ମ ‘ମ୍ୟୁଜିକ୍‌ ଟିଚର’, ଆମାଜନ୍‌ ପ୍ରାଇମ ଭିଡିଓ ଓ୍ବେବ୍‌ ସିରିଜ୍‌ ‘ମେଡ୍‌ ଇନ୍‌ ହେଭେନ’ ଏବଂ ଫିଚର ଫିଲ୍ମ ‘ଦି ଲାଷ୍ଟ କଲର’ରେ ନୀନାଙ୍କୁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ବ୍ୟସ୍ତତା ଭିତରେ ରହୁଥିବା ପ୍ରକାଶ କରିଛନ୍ତି।

Share