Categories: ଜାତୀୟ

ହିଂସାକାରୀଙ୍କୁ ଛଡ଼ାଯିବନି: ଶାହା

ନୂଆଦିଲ୍ଲୀ, ୧୩।୩: ଦିଲ୍ଲୀ ହିଂସାକାଣ୍ଡ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ରାଜ୍ୟ ସଭାରେ ନିଜ ଉତ୍ତର ରଖିଛନ୍ତି। ବିରୋଧୀ ଦଳ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଆଲୋଚନାରୁ ଦୂରେଇ ଯିବା ଲାଗି ସରକାର ଚାହାନ୍ତିନି। ଦିଲ୍ଲୀ ପୋଲିସ ଯଥାବିଧି ତା’ର କାର୍ଯ୍ୟ କରିଥିବା ଶାହା କହିଛନ୍ତି। ସମସ୍ତ ଅଭିଯୋଗକାରୀଙ୍କଠାରୁ ପୋଲିସ ଏଫଆଇଆର୍‌ ରଖି ନ ଥିଲା ବୋଲି ହୋଇଥିବା ଅଭିଯୋଗରେ ସେ କହିଛନ୍ତି, ଗୋଟିଏ ଘଟଣାରେ ଅଲଗା ଅଲଗା ଜିନିଷକୁ ଯୋଡ଼ାଯାଇ ମାମଲା ରୁଜୁ କରାଯିବା ଠିକ୍‌ ନୁହେଁ। ଦିଲ୍ଲୀ ହିଂସାକୁ ନେଇ ଅଦ୍ୟାବଧି ୭୦୦ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ଦୋଷୀସାବ୍ୟସ୍ତ କାହାରିକୁ ଛଡ଼ାଯିବନି। ଦଙ୍ଗାକାରୀଙ୍କ ବିରୋଧରେ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ ବୋଲି ଶାହା ଗୃହରେ ପ୍ରକାଶ କରିଛନ୍ତି। ମୋଟ ୧,୯୨୨ ଦଙ୍ଗାକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି। ଲୋକଙ୍କ ଘର ଭାଙ୍ଗି ପୋଡ଼ାଜଳା କରିବା, ଟେକାପଥର ମାଡ଼ କରି ହିଂସାକାଣ୍ଡ କରିବା ଘଟଣାରେ ଏମାନେ ସମ୍ପୃକ୍ତ ଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ପୋଲିସର ୪୦ ଟିମ୍‌ ନିୟୋଜିତ ହୋଇଥିଲେ। ହିଂସାକାଣ୍ଡରେ ମୋଟ ୫୨ ଲୋକ ପ୍ରାଣ ହରାଇଥିବା ବେଳେ ୫୨୬ ଜଣ ଆହତ ହୋଇଥିଲେ। ମୋଟ ୩୭୧ ଦୋକାନକୁ ଦଙ୍ଗାକାରୀମାନେ ପୋଡ଼ି ଦେଇଥିଲେ। ୧୪୨ ଘର ଏହାଦ୍ୱାରା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା ବୋଲି ରାଜ୍ୟ ସଭାରେ ଶାହା କହିଛନ୍ତି।

Share