Categories: ଜାତୀୟ

ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ

ନୂଆଦିଲ୍ଲୀ,୨୫ା୧: ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରିବା ଆଳରେ ବିକ୍ଷୋଭ ସହ ହିଂସାକାଣ୍ଡ ଭିଆଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ୧୫୪ ବିଶିଷ୍ଟ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଶୁକ୍ରବାର ଦାବି କରିଛନ୍ତି। ବିଭିନ୍ନ ଅବସରପ୍ରାପ୍ତ ବରିଷ୍ଠ ସରକାରୀ ଅଧିକାରୀ, ବିଦ୍ୱାନ, ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ଗଣତନ୍ତ୍ରର ସୁରକ୍ଷା ଲାଗି ଏହାର ଆବଶ୍ୟକତା ରହିଥିବା ଦର୍ଶାଇଛନ୍ତି। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ସିକିମ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ପ୍ରମୋଦ କୋହଲି ଏହି ବିଶିଷ୍ଟ ନାଗରିକଙ୍କ ନେତୃତ୍ୱ ନେଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ୧୧ ପୂର୍ବତନ ହାଇକୋର୍ଟ ବିଚାରପତି, ୭୨ ଜଣ ପୂର୍ବତନ ସରକାରୀ ଅଧିକାରୀ, ୫୬ ପୂର୍ବତନ ସେନା ଅଧିକାରୀ, ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌, ଶିକ୍ଷାବିତ୍‌ ଓ ବିଦ୍ୱାନ ବ୍ୟକ୍ତିମାନେ ଅଛନ୍ତି। ବିକ୍ଷୋଭ ଓ ହିଂସାକାଣ୍ଡ ପଛରେ ରାଜନୈତିକ ଓ ବାହ୍ୟ ତତ୍ତ୍ୱର ସମ୍ପର୍କ ରହିଥିବା କୁହାଯାଇଛି। ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟିକରି ଏମାନେ ଦେଶକୁ ଭାଗ ଭାଗ କରିବା ଲାଗି ଚେଷ୍ଟା କରୁଥିବା ଅଭିଯୋଗ କରାଯାଇଛି। ସିଏଏ ଭାରତୀୟ ନାଗରିକଙ୍କ କୌଣସି ଅସୁବିଧା କରୁ ନ ଥିବାବେଳେ ଅଯଥାରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରାଯାଇ ଲୋକଙ୍କୁ ବିପଥଗାମୀ କରାଯାଉଛି। ବିକ୍ଷୋଭ ସହ ହିଂସା, ପୋଡ଼ାଜଳା, ଭଙ୍ଗାରୁଜା କରାଯାଇ ଅଶାନ୍ତ ବାତାବରଣ ସୃଷ୍ଟି କରାଯାଉଛି। ଏହି ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦାବିପତ୍ରରେ କୁହାଯାଇଛି।

Share