ତେହରାନ,୨୩ା୧୦: ଚଳିତ ମାସ ଆରମ୍ଭରେ ଇରାନର ହିଜାବ ଆଇନକୁ ଉଲ୍ଲଂଘନ କରିଥିବା ଜଣେ ନାବାଳିକାଙ୍କୁ ମହିଳା ପୋଲିସ ଠେଲିଦେବାରୁ ସେ କୋମାକୁ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଛନ୍ତି। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଅମ୍ରିତା ଗେରାଭାନ୍ଦ ନାମ୍ନୀ ଏହି ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖାଦେଇ ନ ଥିଲା। ଖବର ଅନୁଯାୟୀ, ଅକ୍ଟୋବର ୧ରେ ଅମ୍ରିତା ଇରାନ ରାଜଧାନୀ ତେହରାନରେ ଏକ ମେଟ୍ରୋ ଟ୍ରେନ୍ରେ ଯାତ୍ରା କରୁଥିବାବେଳେ ହିଜାବ ପିନ୍ଧି ନ ଥିଲେ। ଏହାକୁ ନେଇ ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ କୋମାକୁ ଚାଲିଯାଇଥିଲେ। ତେବେ ତାଙ୍କ ପ୍ରତି ସେତେବେଳେ କ’ଣ ଘଟିଥିଲା ତାହା ଠିକ୍ ଭାବେ ଜଣାପଡ଼ିନାହିଁ। ସେ ନିଜ ମୁଣ୍ଡକୁ ଷ୍ଟେଶନ ପ୍ଲାଟ୍ଫର୍ମରେ ପିଟିଥିଲେ ବୋଲି ତାଙ୍କର ଜଣେ ସାଙ୍ଗ କହିଥିଲେ ମଧ୍ୟ ସିସିଟିଭି ଫୁଟେଜ୍ରେ ସେଭଳି ଦୃଶ୍ୟ ଦେଖିବାକୁ ମିଳିନାହିଁ। ମେଟ୍ରୋ ଟ୍ରେନ୍ରେ ଜଣେ ମହିଳା ପୋଲିସ ଠେଲିଦେଇଥିବା ଅଭିଯୋଗ ହୋଇଛି। ରକ୍ତଚାପ, ଟ୍ରେନ୍ରେ ପଡ଼ିଯିବା କିମ୍ବା ଉଭୟ କାରଣରୁ ଅମ୍ରିତାଙ୍କର ଏଭଳି ଅବସ୍ଥା ହେଲା ବୋଲି ତାଙ୍କ ମାଆବାପା କହିଛନ୍ତି।