Advertisement

ହିଞ୍ଜିଳିକାଟୁରେ ଟଣାହେଲା ରଥ

ହିଞ୍ଜିଳିକାଟୁ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରଥଟଣା ଯାଇଛି। ହୁଳହୁଳି, ଶଙ୍ଖଧ୍ୱନି, ହରିବୋଲ ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ହିଞ୍ଜିଳିକାଟୁ ରାଜବାଟୀ ନୃସିଂହ ମନ୍ଦିରରେ ପୂଜିତ ଦଧିବାମନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ କାଟୁ ରାଜା ଲଲାଟେନ୍ଦୁ ଭଞ୍ଜଦେଓ ଛେରାପହଁରା କରି ରଥ ମାର୍ଜନା କରିଥିଲେ। ସେହିପରି ବଇଁଚବଣିଆ ଜଗନ୍ନାଥ ମନ୍ଦିରରେ ସେବାଧିପତି ଲିଙ୍ଗରାଜ ସାହୁ ଛେରାପହଁରା କରି ରଥଯାତ୍ରା ଶୁଭାରମ୍ଭ କରିଥିଲେ। ପୌରାଞ୍ଚଳର ଜଗବନ୍ଧୁ ପାଟଣା ସାହି ନୃସିଂହ ମନ୍ଦିରର ଦଧିବାମନ ଜଗନ୍ନାଥ, ବ୍ଲକର ବୁରୁପୋଡ଼ା,ସାରୁ ଓ କଞ୍ଚୁରୁଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବଇଁଚବଣିଆ ମନ୍ଦିର ରଥଯାତ୍ରାରେ ଶହଶହ ଶ୍ରଦ୍ଧାଳୁ ଭକ୍ତ ଓ ଯୁବ ସମାଜ ଉତ୍ସାହର ସହ ରଥକୁ ଅପରାହ୍ନରେ ଟାଣିଥିଲେ। ସନ୍ଧ୍ୟାରେ ହାଟପଦାସ୍ଥିତ ଅସ୍ଥାୟୀ ମାଉସୀମା ମନ୍ଦିରରେ ରଥ ପହଞ୍ଚିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share