ହିଞ୍ଜିଳିକାଟୁ କୋର୍ଟରେ ସିଶୋର ଏମ୍‌ଡିଙ୍କ ଆତ୍ମସମର୍ପଣ

ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍‌.ଏ.): ସି-ଶୋର ଚିଟଫଣ୍ଡ ସଂସ୍ଥାର ଏମଡି ପ୍ରଶାନ୍ତ ଦାଶ ମଙ୍ଗଳବାର ହିଞ୍ଜିଳିକାଟୁ ଜେଏମ୍‌ଏଫସି କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ଆନ୍ତରୀଣ ଜାମିନ ନିର୍ଦ୍ଦେଶକ୍ରମେ ହିଞ୍ଜିଳିକାଟୁ କୋର୍ଟରୁ ସେ ୨ ଜଣ ଜାମିନଦାରଙ୍କ ଜରିଆରେ ୩୦ ହଜାର ଟଙ୍କା ଲେଖାଏ ମୁଚାଲିକାରେ ବେଲ ପାଇଛନ୍ତି।
ହିଞ୍ଜିଳିକାଟୁ ଥାନା ସାହିର ଏଲ. ଶଙ୍କର ରାଓ ସି-ଶୋର ଗଞ୍ଜାମ ମଲ୍ଟି ପ୍ରପୋଜ କୋ-ଅପରେଟିଭ ଲି. କମ୍ପାନୀରେ ୨.୫ଲକ୍ଷ ଟଙ୍କା ନିଜ ସହ ମା’ ଓ ଭଉଣୀଙ୍କ ନାମରେ ଜମା କରିଥିଲେ। ମାଚ୍ୟୁରିଟି ପରେ ଟଙ୍କା ନ ମିଳିବାରୁ ଶଙ୍କର ୨୦୧୩ ମସିହାରେ କମ୍ପାନୀର ଏଜେଣ୍ଟ କୁମୁଦ ରଞ୍ଜନ ପାଢ଼ୀଙ୍କ ନାମରେ ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ। ପୋଲିସ ଏ ନେଇ ନଂ.୧୧୨/୧୩ରେ ଏକ ମାମଲା ରୁଜୁ କରିଥିଲା। ଶଙ୍କରଙ୍କୁ ଏକ ବ୍ଲାଙ୍କ ଚେକ ଦେଇଥିବା ଅଭିଯୋଗରେ କୁମୁଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଏହି ମାମଲାରେ ପୋଲିସ ସି-ଶୋର କମ୍ପାନୀର ସିଏମଡି ପ୍ରଶାନ୍ତ କୁମାର ଦାଶଙ୍କ ନାମରେ ମଧ୍ୟ ମାମଲା ଯୋଡିଥିଲା। ମଙ୍ଗଳବାର ବରିଷ୍ଠ ଓକିଲ ନିର୍ମଳ କୁମାର ସାହୁଙ୍କ ଜରିଆରେ ସେ ହିଞ୍ଜିଳିକାଟୁ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ହାଇକୋର୍ଟ ନିର୍ଦ୍ଦେଶ ପରେ ଆତ୍ମ ସମର୍ପଣ କରିଥିବାରୁ ପ୍ରଶାନ୍ତ ରେଗୁଲାର ଜାମିନ ପାଇଛନ୍ତି ବୋଲି ଓକିଲ ସାହୁ କହଛନ୍ତି।