Advertisement
Categories: ଗଞ୍ଜାମ

ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ବ୍ରହ୍ମପୁର ଅଫିସ୍‌,୨୦ା୪-ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଥର ଲୋକମାନେ ଖୋଲାଖୋଲି ପରିବର୍ତ୍ତନର ସ୍ବର ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ଏଥିରେ ଭୟଭୀତ ହୋଇ ମୁଖ୍ୟମନ୍ତ୍ରୀ ଯେନତେନ ପ୍ରକାରେ ନିର୍ବାଚନ ଜିତିବା ପାଇଁ ଅର୍ଥବଳ, ବାହୁବଳ ଏବଂ ପ୍ରଶାସନିକ କଳକୁ ବ୍ୟବହାର କରିଛନ୍ତି। ଭୋଟ୍‌ ଗ୍ରହଣର ଦିନେ ଦୁଇଦିନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ପ୍ରାୟ ୨୫କୋଟି ଟଙ୍କା ବଣ୍ଟା ଯାଇଛି । ଜଣେ ଆଇଏଏସ୍‌, ଜଣେ ଆଇପିଏସ୍‌ ଏବଂ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଏହି ଟଙ୍କା ବଣ୍ଟନରେ ସମ୍ପୃକ୍ତ ଅଛନ୍ତି । ତଥାପି ଭାଜପାର ବିଜୟ ସୁନିଶ୍ଚିତ ବୋଲି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ପୀତାମ୍ବର କହିଛନ୍ତି, ଲଗତାର ଭାବେ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀରୁ ଜିତୁଥିଲେ ମଧ୍ୟ ବିକାଶ ଦିଗରେ କେବେ ଗୁରୁତ୍ୱ ଦେଇନାହାନ୍ତି। ଲୋକେ ବହୁ ଅସୁବିଧାରେ ରହିଛନ୍ତି । ଗତ ୨୧ଦିନ ଧରି ପ୍ରଚାର ବେଳେ ଅନେକ ଗ୍ରାମକୁ ଯାଇ ଲୋକଙ୍କ ସହ ମିଶିଛି। ଏଥିରେ ନବୀନ ବାବୁ ଭୟଭୀତ ହୋଇ ବିପୁଳ ଟଙ୍କା ବାଣ୍ଟିଛନ୍ତି । ପଞ୍ଚାୟତ ପିଚ୍ଛା ୫ରୁ ୭ଲକ୍ଷ ଏବଂ ବୁଥ୍‌ ପିଚ୍ଛା ଦୁଇରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବଣ୍ଟାଯାଇଛି। ଖଣି ଦୁର୍ନୀତି ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିରୁ ମିଳିଥିବା ଟଙ୍କାକୁ ହିଞ୍ଜିଳି ନିର୍ବାଚନରେ ଖର୍ଚ୍ଚ କରାଯାଇଛି। କେବଳ ଏତିକି ନୁହଁ, ଅନେକ ସ୍ଥାନରେ ବୁଥ୍‌ ଦଖଲ ଉଦ୍ୟମ ହୋଇଛି । ୭ଟି ମତଦାନ କେନ୍ଦ୍ରରେ ବିଜେଡ଼ି କର୍ମୀମାନେ ବୁଥ୍‌ ଦଖଲ ଉଦ୍ୟମ କରିଥିଲେ। ହେଲେ କେନ୍ଦ୍ରୀୟ ସଶସ୍ତ୍ରବଳର ଯବାନ୍‌ମାନେ ସଜାଗ ରହି ଏହାକୁ ଭଣ୍ଡୁର କରିଛନ୍ତି। ଗୁଣ୍ଡାମାନେ ହିଞ୍ଜିଳିରେ ବିଜେଡ଼ିର ନିର୍ବାଚନ ପରିଚାଳନା କରୁଥିଲେ । କେବଳ ହିଞ୍ଜିଳିବାସୀ ନୁହନ୍ତି, ଆଗାମୀ ଦିନରେ ପ୍ରତ୍ୟେକ ଓଡ଼ିଶାବାସୀ ବିଜେଡ଼ି ଗୁଣ୍ଡାରାଜ୍‌ର ଦୃଢ଼ ଜବାବ୍‌ ଦେବେ। ନିର୍ବାଚନରେ ତାହା ପ୍ରତିଫଳିତ ହେବ ବୋଲି ପୀତାମ୍ବର ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଇଭିଏମ୍‌ ଭଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ଭାଜପାର ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ଦଳ ପୂର୍ଣ୍ଣ ସମର୍ଥନ କରିବ ବୋଲି ସେ କହିଛନ୍ତି । ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ ।