ହିଞ୍ଜିଳି ଥାନା ଅଞ୍ଚଳରୁ ଘନ ଘନ ଚୋରି

ହିଞ୍ଜିଳିକାଟୁ,୩୧।୫(ଡି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗତ ୨ଦିନରେ ଏକାଧିକ ଚୋରି ଅଭିଯୋଗ ହୋଇଛି। ଗୁରୁବାର ରାତିରେ ରାମଚନ୍ଦ୍ରପୁର ଗ୍ରାମର ହେମନ୍ତ ସେଠିଙ୍କ ପରିବାର ଲୋକେ ଘରେ ଶୋଇଥିବାବେଳେ ଲୁଟେରାମାନେ ଘରେ ପଶି ଆଲମିରା ଭାଙ୍ଗି ୬ ତୋଳା ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକଙ୍କ ନିଦ ଭାଙ୍ଗିବାରୁ ପାଟି କରିଥିଲେ। ଫଳରେ ଲୁଟେରାମାନେ ଏକ ଲୁହା ବାକ୍ସ ଓ ସୁନା ଗହଣାର ଖୋଳ ଘଟଣାସ୍ଥଳରେ ଛାଡି ଚମ୍ପଟ ମାରିଥିଲେ। ଏନେଇ ହେମନ୍ତ ଶୁକ୍ରବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ବୁଧବାର ରାତିରେ ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ପଥରପୁଞ୍ଜି ଗ୍ରାମରେ ଜଣେ ଡାକ୍ତରଙ୍କ ଘରେ ପଶି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଟଙ୍କା ଇତ୍ୟାଦି ଲୁଟି ନେଇଛନ୍ତି। ସେଠାରେ ଅନ୍ୟ ୩ଟି ଘରେ ଚୋରି ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ସେହିପରି ବୁଧବାର ରାତିରେ ଶିକିରି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର , ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାସହ ଆଖପାଖ କିଛି ଗ୍ରାମରେ ମଧ୍ୟ ଚୋରି ଉଦ୍ୟମ ହୋଇଥିବା ଆଲୋଚନା ହେଉଥିଲେ ମଧ୍ୟ ଥାନାରେ ଅଭିଯୋଗ ହୋଇନାହିଁ। ଅଞ୍ଚଳରେ ଏପରି ଘନଘନ ଚୋରି ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଶୁକ୍ରବାର ପୂର୍ବାହ୍ନରେ ହିଞ୍ଜିଳି ଥାନାରେ ପହଞ୍ଚତ୍ ଚୋରି ଅଭିଯୋଗ ନେଇ ଆଲୋଚନା କରିଛନ୍ତି।

Share