ହିଡ଼ରେ ଚାଲି ଯାଉଛନ୍ତି ସ୍କୁଲ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ତେଲିଅର୍ଶଳା ଗ୍ରାମର ତାମୁଡିଆ (ତନ୍ତୀ) ସାହିକୁ ସବୁଦିନିଆ ରାସ୍ତା ନାହିଁ ା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ସାହିର ଭାଗ୍ୟ ବଦଳୁ ନାହିଁ। ଏହି ଗ୍ରାମରେ ୪୦ ତନ୍ତୀ ଆଦିବାସୀ ପରିବାର ବହୁ ଦିନରୁ ରହି ଆସୁଛନ୍ତି। ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ପଞ୍ଚାୟତଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇସାରିଥିଲେ ହେଁ କେହି ଶୁଣୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଲ ହିଡ ହିଁ ସେମାନଙ୍କ ଯାତାୟାତ ପଥ ା ଫଳରେ ଉକ୍ତ ସାହିରେ ରହୁଥିବା ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଛୋଟ ଛୋଟ ପିଲା ସ୍କୁଲ ଯିବାଆସିବା କରିବା ଏବଂ ରୋଗୀଙ୍କୁ ଡାକ୍ତରଖାନା ନେବାଆଣିବା କରିବାକୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଉକ୍ତ ସାହିରେ ପାଣି ସୁବିଧା ନ ଥିବାରୁ ପ୍ରାୟ ଅଧ କି.ମି. ଦୂର ଅନ୍ୟ ଗ୍ରାମକୁ ଯାଇ ପାଣି ଆଣୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ନାଳ, ଚୁଆରୁ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ବିଲ ହିଡରେ ଯିବା ଆସିବା କରୁଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ବର୍ଷାଦିନରେ ରାସ୍ତା ଖସଡ଼ା ହୋଇଯାଉଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଚାଷ ସମୟରେ ଯିବାଆସିବା କରି ଅସୁବିଧାରେ ପଡୁଛନ୍ତି। ସାପ ଓ ଅନ୍ୟ ସରୀସୃପ ଭୟ ରହୁଛି ା ପିଲାମାନେ ବିଲ ହିଡରେ ଚାଲି ଚାଲି ଆସିବା ପରେ ଗ୍ରାମରୁ ସାଇକେଲରେ ଖେଣ୍ଡରା ଆଦର୍ଶ ବିଦ୍ୟାଳୟକୁ ପଢିବାକୁ ସବୁଦିନ ଯିବାଆସିବା କରୁଛନ୍ତି ବୋଲି ସାମାଜିକ କର୍ମୀ ଦିନେଶ କୁମାର ଟୁଡୁ କହିଛନ୍ତି। ରାସ୍ତା ନ ଥିବାରୁ ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାଆସିବା କରିପାରୁନାହାନ୍ତି। ଏଣୁ ଗ୍ରାମରୁ ଉକ୍ତ ସାହିକୁ ରାସ୍ତା ନିର୍ମାଣ କରାଗଲେ ସାହିବାସୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।

Share