Categories: ଭଦ୍ରକ

ହିତାଧିକାରୀଙ୍କୁ ଭେଟିଲେ ପ୍ରକଳ୍ପ ନିର୍ଦ୍ଦେଶକ: ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟିଥିଲେ। ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ସହକାରୀ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରହଲ୍ଲାଦ ରଣା, ଜିଲା ପ୍ରକଳ୍ପ ପରିଚାଳକ ସଞ୍ଜୟ ଦାଶ ଓ ଧବଳେଶ୍ୱର ମହିଳା ମହାସଂଘର ସଭାନେତ୍ରୀ କମଳା ମିଶ୍ର ଉପସ୍ଥିତ ଥିଲେ। ଅଧିକାରୀମାନେ ଉକ୍ତ ପଞ୍ଚାୟତର କାଦବରାଙ୍ଗ, କୁସୁନପୁର ଆଦି ଗ୍ରାମ ପରିଦର୍ଶନ କରି ୧୦ଜଣ ହିତାଧିକାରୀଙ୍କୁ ଭେଟିଥିଲେ। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଆବାସ କାର୍ଯ୍ୟ ସାରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ହିତାଧିକାରୀମାନଙ୍କୁ ପରାମର୍ଶ ଦେବା ସହ ପଞ୍ଚାୟତ ଅଧିକାରୀମାନଙ୍କୁ ତାଗିଦ୍‌ କରିଥିଲେ। ଏଥିସହ ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହିତାଧିକାରୀମାନଙ୍କୁ ଗୃହ କାର୍ଯ୍ୟରେ ଆର୍ଥତ୍କ ସହାୟତା ପ୍ରଦାନ ଲାଗି ମହିଳା ମହାସଂଘର ସଭାନେତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଜିଲା ଅଧିକାରୀଙ୍କ ଗସ୍ତ ବେଳେ ସରପଞ୍ଚ ଲକ୍ଷ୍ମୀପ୍ରିୟା ଭାରତୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ, ଗ୍ରାମରୋଜଗାର ସେବକ ଭାଗୀରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି, ଏହି ପଞ୍ଚାୟତରେ ୧୧୨ ଆବାସ କାର୍ଯ୍ୟାଦେଶ ହୋଇଥିବାବେଳେ ୧୭ଟି ସମ୍ପୂର୍ଣ୍ଣ ହୋଇଛି। ୮ଟି ରୁଫ୍‌ ଲେଭଲ, ୧୭ଟି ପ୍ଲିନ୍ଥ ଲେଭଲ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବାବେଳେ ୭୦ ଘର ଆଦୌ ଆରମ୍ଭ କରାଯାଇ ନାହିଁ।