ହିତାଧିକାରୀଙ୍କୁ ମାଗଣାରେ ଡାଲି, ଚାଉଳ ସହାୟତା

ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ବିନାମୂଲ୍ୟରେ ତିନି ମାସ ପାଇଁ ଦିଆଯିବ। ଏପ୍ରିଲ୍‌, ମେ ଓ ଜୁନ୍‌ ମାସ ପାଇଁ ଏହି ଚାଉଳ ବଣ୍ଟନ କରାଯିବ। ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ହିତାଧିକାରୀଙ୍କୁ ଏହି ତିନି ମାସର ଚାଉଳ ସହିତ ପରିବାର ପିଛା ମାସକୁ ଏକ କିଲୋ ହରଡ଼ ଡାଲି ୩ ମାସ ପାଇଁ ବିନାମୂଲ୍ୟରେ ଯୋଗାଇଦେବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏଥିନିମନ୍ତେ ତୁରନ୍ତ ଚାଉଳ ଓ ଡାଲି ଉଠାଣ ଓ ପରିବହନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯୋଜନାରେ ରାଜ୍ୟର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ପ୍ରାୟ ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଉପକୃତ ହେବେ। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୮୦ ଲକ୍ଷ ୨୬ ହଜାର ୩୭୫ଟି ପରିବାରର ପ୍ରାୟ ୨ କୋଟି ୮୬ ଲକ୍ଷ ୬ ହଜାର ୨୩୯ ଜଣ ହିତାଧିକାରୀ ଉପକୃତ ହେବେ। ସେହିଭଳି ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ। ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୫ କି.ଗ୍ରା ଲେଖାଏ ଚାଉଳ ତିନି ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ରାଶନକାର୍ଡଧାରୀମାନଙ୍କୁ ୩ ମାସ ପାଇଁ ଯୋଗାଇ ଦିଆଯାଉଥିବା ଚାଉଳ ସହିତ ଅତିରିକ୍ତ ଭାବେ ଏହି ଚାଉଳ ଓ ଡାଲି ମାଗଣାରେ ଦିଆଯିବ।

Share