ହିତାଧିକାରୀଙ୍କୁ ମିଳିନି ହଜାରେ ଟଙ୍କା ସହାୟତା

ବାରିପଦା ଅଫିସ, ୧୨ା୪- ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ରାଶନ କାର୍ଡ଼ଧାରୀମାନଙ୍କୁ ୧ ହଜାର ଟଙ୍କା ଲେଖାଏ କରୋନା ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲାର ବିିଭନ୍ନ ପଞ୍ଚାୟତରେ ଟଙ୍କା ବଣ୍ଟନ କରାଯାଉଛି। ମାତ୍ର ଶୁଳିଆପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହି ଟଙ୍କା ପ୍ରଦାନ କରାଯାଇ ନ ଥିବାରୁ ହିତାଧିକାରୀମାନେ ସରପଞ୍ଚ ଏବଂ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ମାନଙ୍କ ଉପରେ ଅସନ୍ତୋଷ ପ୍ରକଟ କରୁଛନ୍ତି। ବ୍ଲକକୁ ଟଙ୍କା ଯାଇଥିଲେ ମଧ୍ୟ ଉକ୍ତ ଟଙ୍କା କାହିଁକି ବଣ୍ଟନ କରାଯାଉ ନାହିଁ ସେ ନେଇ ସରପଞ୍ଚ ଏବଂ ପିଇଓମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପିଇଓମାନେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ୧ ହଜାର ଟଙ୍କା କିଏ ଦେବ ଓ କେଉଁଠୁ ଆସିବ ତାହା ସେମାନେ ଜାଣି ପାରୁ ନାହାନ୍ତି। ଏ ନେଇ ସେମାନେ ବିଡ଼ିଓଙ୍କୁ କହିବାରୁ ବିଡ଼ିଓ ବାର୍ଦ୍ଧକ୍ୟଭତ୍ତାରୁ ବଳକା ଥିବା ଟଙ୍କା ବଣ୍ଟନ କରିବାକୁ କହିଥିଲେ। ଏହି ଅନୁସାରେ ପିଇଓମାନେ ବାର୍ଦ୍ଧକ୍ୟ ଭତ୍ତାରୁ ବଳକା ଥିବା ଟଙ୍କାକୁ କିଛି ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ। ଏହା ପରେ ଅନ୍ୟ ହିତାଧିକାରୀମାନେ ତାଙ୍କ ଟଙ୍କା କେବେ ପ୍ରଦାନ କରାଯିବ ବୋଲି କହି ପିିଇଓ ଏବଂ ସରପଞ୍ଚମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତିି। ଅନ୍ୟପକ୍ଷେ ଶୁଳିଆପଦା ବିଡିଓ ପରୀକ୍ଷିତ ଜେନା ନିର୍ବାହୀ ଅଧିକାରୀଙ୍କ ନାମରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହିତ କାହିଁକି ଟଙ୍କା ବଣ୍ଟନ କରାଗଲା ସେ ନେଇ ଥାନାରେ ଅଭିଯୋଗ କରିବେ ବୋଲି ଚିଠି ମାଧ୍ୟମରେ ପିଇଓମାନଙ୍କୁ ଜଣାଇଛନ୍ତି। ଯାହାକୁ ନେଇ ପିଇଓମାନେ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି। ଉକ୍ତ ଟଙ୍କା କାହିଁକି ବଣ୍ଟନ ହୋଇପାରୁ ନାହିଁ ସେ ଦିଗରେ ଜିଲାପାଳ ତଦନ୍ତ କରିବାକୁ ଶୁଳିଆପଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତର ପିଇଓ ଏବଂ ସରପଞ୍ଚମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସରପଞ୍ଚ ସୁକାନ୍ତୀ ନାଏକ, ଚନ୍ଦ୍ର ମୋହନ ନାଏକ, ପିଇଓ ରାମଚନ୍ଦ୍ର ବେହରା, ରଞ୍ଜିତ କୁମାର ବେହେରା ପ୍ରମୁଖ ଜିଲାପାଳଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।