ହିତାଧିକାରୀଙ୍କୁ ମିଳୁନି ଗୁହାଳ ନିର୍ମାଣ ଅର୍ଥ : ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ

କର୍ଲାମୁଣ୍ଡା,୨।୧୧(ଡି.ଏନ୍‌.ଏ) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତରେ ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ଗୁହାଳ ନିର୍ମାଣ ଶେଷ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସହାୟତା ରାଶି ପାଇ ନ ଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ବ୍ଲକର ସ.ମାଲପଡ଼ା ପଞ୍ଚାୟତରେ ଏମ୍‌ଜିଏନ୍‌ଆରଜିଏରେ ୭୦ଜଣ ହିତାଧିକାରୀ କାର୍ଯ୍ୟାଦେଶ ପାଇ ଗାଈ ଗୁହାଳ ନିର୍ମାଣ ସମାପ୍ତ କରିବାର ଦୀର୍ଘଦିନ ବିତି ଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସହାୟତା ରାଶି ପାଇନାହାନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୭-୧୮ ଆର୍ଥିକ ବର୍ଷ ୧୬ ଜଣ ଓ ୧୮-୧୯ ଆର୍ଥିକ ବର୍ଷ ୫୪ଜଣଙ୍କୁ ଏମ୍‌ଜିଏନ୍‌ଆରଜିଏରେ ୧ ଲକ୍ଷ ୧୩ ହଜାର ଟଙ୍କାର ଅଟକଳରେ ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ପରେ ହିତାଧିକାରୀମାନେ ଗୁହାଳ ନିର୍ମାଣ କରିଥିଲେ। ନିର୍ମାଣର ୪ ମାସ ବିତିଯାଇଥିଲେ ସୁଦ୍ଧା ହିତାଧିକାରୀମାନେ ଅର୍ଥ ପାଇପାରୁ ନ ଥିବା ନେଇ ବାଗବୁରାଇ ଗାଁର କହଁର ସାହୁ ଓ ଅନ୍ୟମାନେ ଅକ୍ଟୋବର ୧୦ତାରିଖରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏନେଇ କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କୁ ପଚାରିବାରୁ, କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି। ସେହିପରି କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ଯୋଗାଯୋଗ କରାଯିବାରୁ, ଏହାର ତଦନ୍ତ କରାଯିବ ଓ ହିତାଧିକାରୀମାନେ କିପରି ସହାୟତା ପାଇପାଇବେ ଚେଷ୍ଟା କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉଦାସୀନତା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।