ହିତାଧିକାରୀଙ୍କ ଘରେ ପହଞ୍ଚିଲା ଆଗୁଆ ଭତ୍ତା ଟଙ୍କା

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଓ ଦେଶ ଲକ୍‌ ଡାଉନ୍‌ ଘୋଷଣା ପରେ ସରକାର ଲୋକଙ୍କୁ ଆର୍ଥତ୍କ ସହାୟତା କରିବା ପାଇଁ ଯୋଜନା କରିଛନ୍ତି। ବିଭିନ୍ନ ଯୋଜନାରେ ପେନ୍‌ସନ୍‌ ପାଉଥିବା ହୀତଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବାକୁ ନେଇ ଘୋଷଣା କରଛନ୍ତି। ସମ୍ବଲପୁର ଜିଲାରେ ଏହା ଆରମ୍ଭ କରାଯାଇଛି। ଏହି ଯୋଜନାରେ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ୨୮ ହଜାର ୩ ଶହ ହିତାଧିକାରୀଙ୍କ ସହ ରେଢାଖୋଲ ଏନ୍‌ଏସି, କୁଚିଣ୍ଡା ଏନ୍‌ଏସି ସହ ୯ଟି ବ୍ଲକରେ ମୋଟ ୧ ଲକ୍ଷ ୨୧ ହଜାର ୭୨୧ ଜଣ ହୀତଧିକାରୀ ଉପକୃତ ହେବେ । ଶୁକ୍ରବାରଠାରୁ ମାନେଶ୍ୱର ବ୍ଲକ, ଯୁଯୁମୁରା ବ୍ଲକ, ରେଢାଖୋଲ ଏନ୍‌ଏସି, କୁଚିଣ୍ଡା ଏନ୍‌ଏସିରେ ଭତ୍ତା ବଣ୍ଟା ଆରମ୍ଭ ହୋଇଛି । ଶନିବାରଠାରୁ ଅନ୍ୟ ବ୍ଲକ ଗୁଡିକରେ ଟଙ୍କା ବଣ୍ଟନ କରାଯିବ । ଏ ନେଇ ଡିସିସିଓ ଜଗନ୍ନାଥ ମୋଡି କହିଛନ୍ତି ଯେ, ଭତ୍ତା ଟଙ୍କା ଦେବା ସମୟରେ କରୋନା କଟକଣା ପାଳନ କରଯାଉଛି । ବ୍ଲକ୍‌ସ୍ତରରେ ବିଡିଓମାନେ ଏହାର ତାଦାରଖ କରୁଛନ୍ତି । ପଞ୍ଚାୟତ ସ୍ତରରେ ଇଓ ମାନେ ଘରକୁ ଘର ଯାଇ ଭତ୍ତା ବଣ୍ଟନ କରୁଛନ୍ତି । ପ୍ରତି ହିତଧିକାରୀଙ୍କୁ ଏପ୍ରିଲଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ମୋଟ ୪ ମାସର ଭତ୍ତା ବଣ୍ଟନ କରାଯାଉଛି । ୫ ଶହ ଟଙ୍କା ପାଉଥିବା ହୀତଧିକାରୀ ୨ ହଜାର ଓ ୭ ଶହ ଟଙ୍କା ଭତ୍ତା ପାଉଥିବା ଅଧିକାରୀଙ୍କୁ ୨୮ ଶହ ଟଙ୍କା ପ୍ରଦାନ କରାଯାଉଛି । ମହାନଗର ନିଗମ ପକ୍ଷରୁ କେବେ ବଣ୍ଟନ କରାଯିବ ସେ ନେେଇ କମିଶନର ନିଷ୍ପତ୍ତି ନେବେ। ଭତ୍ତା ବଣ୍ଟନ କରୁଥିବା ଅଧିକାରୀମାନେ ସାନିଟାଇଜର ବ୍ୟବହାର ସହ ମାସ୍କ ପିନ୍ଧି ଭତ୍ତା ବଣ୍ଟନ କରୁଛନ୍ତି । ସମସ୍ତ କର୍ମଚାରୀମାନଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ତାଲିମ ଦିଆଯିବା ସହ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ ଟଙ୍କା ପାଇବା ପରେ ହୀତାଧିକାରୀ ଖୁସି ବ୍ୟକ୍ତ କରିଛନ୍ତି । ଏବେ ରୋଜଗାର ବନ୍ଦ ହୋଇଯାଇଛି। ଖାଇବା ପାଇଁ ଟଙ୍କା ନାହିଁ। ଏହି ସମୟରେ ଆଗୁଆ ଟଙ୍କା ମଳିବା ସେମାନଙ୍କୁ ସହାୟକ ହେବ । ଅନ୍ୟପଟେ ପିଡିଏସ୍‌ ଶିଘ୍ର ଚାଉଳ ଦେବାକୁ ଲୋକେ ଦାବି କରିଛନ୍ତି।

Share