ବରୀ/ରତ୍ନଗିରି,୧୮ା୫(ସ୍ବ.ପ୍ର./ଡି.ଏନ୍.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଞ୍ଚାୟତର ସରକାରୀ ରିଟେଲର ଅନିରୁଦ୍ଧ ସାମଲ ନିଲମ୍ବତ ହୋଇଥିବା ନିଲମ୍ବିତ ରାଜ୍ୟ ଯୋଗାଣ ମନ୍ତ୍ରୀ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି। ଏହି ଗ୍ରାମର ହିତାଧିକାରୀମାନଙ୍କ ଚାଉଳ କାଟିବା ଯୋଗୁ ହିତାଧିକାରୀମାନେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାଶ୍ୱତ ଜେନାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ସମ୍ପୃକ୍ତ ଡିଲର ଜଣକ ଭାରତୀ ଜେନା ନାମକ ଜଣେ ମହିଳାଙ୍କ ଚାଉଳ କାଟିବାକୁ ବିରୋଧ କରିବାରୁ ମାଡ଼ ମାରିଥିବା ଘଟଣାକୁ ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ସମ୍ପୃକ୍ତ ମହିଳାଙ୍କ ତରଫରୁ ଲିଖିତ ଅଭିଯୋଗ ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାଶ୍ୱତ ଜେନା, ଯୋଗାଣ ନିରୀକ୍ଷକ ପ୍ରଫୁଲ୍ଲ କୁମାର ବେହେରା ଓ ବରୀ ବ୍ଲକ ଅଧ୍ୟକ୍ଷା ଶୁଭାସିନୀ ଶର୍ମା ଘଟଣାସ୍ଥଳକୁ ଯାଇ ସତ୍ୟତା ଅନୁଭବ କରିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା କାର୍ଯ୍ୟାଳୟକୁ ସୁପାରିଶ କରିଥିଲେ। ସୋମବାର ସମ୍ପୃକ୍ତ ଡିଲରଙ୍କ ଅନିୟମିତତା ଯୋଗୁ ତାଙ୍କୁ ପଦବୀରୁ ନିଲମ୍ବନ କରାଯିବା ସହିତ ଖାଦ୍ୟସୁରକ୍ଷା ଯୋଜନାର ସାମଗ୍ରୀ ବଣ୍ଟନ ନିମନ୍ତେ ନିକଟସ୍ଥ ସରକାରୀ ଡିଲରଙ୍କୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ମିଳିଛି।