ହିତାଧିକାରୀ ଚୟନ ପ୍ରକ୍ରିୟାରେ ପାତରଅନ୍ତର ଅଭିଯୋଗ: ପୌରପାଳିକା ଘେରାଉ କରିବା ନେଇ କଂଗ୍ରେସର ଦାବିପତ୍ର

ଭଦ୍ରକ ଅଫିସ,୧୩ା୫: ଦେଶରେ ମହାମାରୀ କରୋନା ଆତଙ୍କ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁ ଯୋଗ୍ୟ ପରିବାର ରାଶନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଏବେ ନୂତନ ଭାବେ ରାଶନକାର୍ଡ ଦେବାର ବନ୍ଦୋବସ୍ତ କରାଯାଉଛି । ଏଥିନିମନ୍ତେ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। ବିଶେଷକରି ଭଦ୍ରକ ପୌରପାଳିକାର ବିଭିନ୍ନ ୱାର୍ଡର ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତିରେ ଏପରି ଅନିୟମିତତା କରାଯାଉଛି। ହିତାଧିକାରୀ ଚୟନ ନିମନ୍ତେ ନିୟୋଜିତ ପୌରପାଳିକା କର୍ମଚାରୀ ଏବଂ ଯୋଗାଣ ବିଭାଗର କର୍ମଚାରୀ କ୍ଷେତ୍ରକୁ ନ ଯାଇ ଅଫିସରେ ବସି ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରୁଛନ୍ତି । ଏହାକୁ ବିରୋଧ କରି ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତି ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପ୍ରକୃତଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ପଦକ୍ଷେପ ନ ନେଲେ କଂଗ୍ରେସ ପକ୍ଷରୁ ଏହାକୁ ଘୋର ବିରୋଧ କରାଯିବା ସହିତ ଆବଶ୍ୟକ ପଡ଼ିଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ଚେତାବନୀ ଦେଇଛନ୍ତ। ଏହି ଦାବିପତ୍ର ପ୍ରଦାନ ଅବସରରେ ପୂର୍ବତନ କାଉନସିଲର ଦିଲ୍ଲୀପ ନାୟକ, ନଗର କଂଗ୍ରେସ କମିଟି ସଭାପତି ଅବଦୁଲ ମୋକିତ ଖାଁ, ପୂର୍ବତନ କାଉନସିଲର ଅସରଫ୍‌ ଅଲ୍ଲୀ, ସେକ୍‌ ସମଦାନୀ, ଗୁଲାମ ମଇଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।