ହିନ୍ଦୀ ଥିଓରି ଫୁଲ୍‌ ମାର୍କ ୪୦, ଛାତ୍ର ରଖିଲେ ୮୭

ଉମରକୋଟ,୨୭ା୨ (ଡି.ଏନ.ଏ): ଛାତ୍ରଙ୍କ ଭବିଷ୍ୟତ ସହ ଖେଳ। ବୋର୍ଡ କାର୍ଯ୍ୟାଳୟର ଖାମଖିଆଲ ମୂଲ୍ୟାଙ୍କନ ଯୋଗୁ ପରୀକ୍ଷାରେ ଫୁଲ ମାର୍କଠାରୁ ଅଧିକ ମାର୍କ ରଖିଛନ୍ତି ଜଣେ ଛାତ୍ର। ହିନ୍ଦୀ ଥିଓରୀର ଫୁଲ ମାର୍କ ୪୦ ହୋଇଥିବା ସ୍ଥଳେ ୮୭ ମାର୍କ ଦିଆଯାଇଛି। ନବରଙ୍ଗପୁର ଜିଲା ଉମରକୋଟ ସ୍ଥିତ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ (ବିଆଇଟି)ରେ ପଢୁଥିବା ୨ୟ ବର୍ଷର ଛାତ୍ର ତପନ ଗଣ୍ଡଙ୍କ ପରୀକ୍ଷା ଫଳାଫଳ ଏପରି ଆସିଛି। ଏହା ଦେଖି ତପନ ଆଶ୍ଚର୍ଯ୍ୟ ହୋଇଛନ୍ତି । ଶିକ୍ଷକ ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପ୍ରଥମ ଓ ୨ୟ ବର୍ଷରେ ବୋର୍ଡ ପରୀକ୍ଷା ହୋଇଥାଏ। ଛାତ୍ରୀଛାତ୍ରମାନେ ଥିଓରୀରେ ୪୪୦ ମାର୍କ , ଆସାଇନମେଣ୍ଟରେ ୧୧୦ ମାର୍କ ଏବଂ ପ୍ରାକ୍ଟିକାଲରେ ୧୦୦ ମାର୍କ ସହ ମୋଟ ୬୫୦ ମାର୍କର ପରୀକ୍ଷା ଦେଇଥାନ୍ତି। ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ତପନ ପ୍ରଥମ ବର୍ଷରେ ଯେଉଁ ପରୀକ୍ଷା ଦେଇଥିଲେ ତାହାର ଫଳାଫଳ ଗତ ୨ ଦିନ ପୂର୍ବେ ଅନ୍‌ଲାଇନ ମାଧ୍ୟମରେ ବାହାରିଥିଲା। ଏ ସଂକ୍ରାନ୍ତରେ ଅନୁଷ୍ଠାନର ଶିକ୍ଷକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ବିଆଇଟି ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅନଲାଇନରୁ ପରୀକ୍ଷାଫଳ ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ। ତେବେ ଟାବୁଲେସନ ନଚେତ ମୂଲ୍ୟାୟନ ବେଳେ ଏହି ଭୁଲ ହୋଇଥାଇପାରେ। ତପନ ଏବେ ୨ୟ ବର୍ଷରେ ପଢୁଥିବାରୁ ସେ ୨ୟ ବର୍ଷର ବୋର୍ଡ ପରୀକ୍ଷା ଦେବେ। ଶେଷ ବର୍ଷର ପରୀକ୍ଷା ଫଳରେ ଏହି ତ୍ରୁଟି ସଂଶୋଧନ ହୋଇଯିବ ବୋଲି ସେ କହିଛନ୍ତି।ଯୋଗୁ କିଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହିତ ଖେଳ ଖେଳାଯାଉଛି । ଏହାକୁ ନେଇ ଛାତ୍ରୀଛାତ୍ର ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

Share