ହିନ୍ଦୁ-ମୁସଲମାନ୍‌ କଲେ କିଡ୍‌ନୀ ଅଦଳବଦଳ

ନୂଆଦିଲ୍ଲୀ,୫।୩: ଦେଶରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବାଦବିବାଦ ଜାରି ରହିଥିବା ବେଳେ କଶ୍ମୀରର ଜଣେ ମୁସଲମାନ୍‌ ଝିଅ ଏବଂ ହରିୟାଣାର ଜଣେ ହିନ୍ଦୁ ଝିଅ ପରସ୍ପର ପରିବାର ସଦସ୍ୟଙ୍କୁ କିଡ୍‌ନୀ ଅଦଳବଦଳ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। କଶ୍ମୀରର କୁଲଗାମ୍‌ରେ ବାସ କରୁଥିବା ୨୦ ବର୍ଷ ବୟସ୍କା ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଇଫରା ଜାନ୍‌ଙ୍କ ମାତା ଜୁବେଦା ବାନୋଙ୍କର ୨ଟି କିଡ୍‌ନୀ ନଷ୍ଟ ହୋଇଯାଇଥିଲା। ସେହିପରି ହରିୟାଣା ପଞ୍ଚକୁଲାର ଯମୁନାନଗରରେ ବାସ କରୁଥିବା ଗୀତାଙ୍କ ସ୍ବାମୀ ଅଜୟ କୁମାରଙ୍କର ୨ କିଡ୍‌ନୀ ମଧ୍ୟ ନଷ୍ଟ ହୋଇଯାଇଥିଲା। ମାତ୍ର ଇଫରା ଏବଂ ଗୀତାଙ୍କ ବ୍ଲଡ୍‌ ଗ୍ରୁପ୍‌ ଜୁବେଦା ଅବା ଅଜୟଙ୍କ ସହିତ ମେଳ ଖାଉ ନ ଥିଲା। ଅଜୟ ଏବଂ ଜୁବେଦା ପଞ୍ଚକୁଲାସ୍ଥିତ ଅଲକେମିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତର ଜାଣିପାରିଥିଲେ ଯେ, ଇଫରାଙ୍କ ବ୍ଲଡ୍‌ ଗ୍ରୁପ୍‌ ଅଜୟଙ୍କ ସହିତ ଏବଂ ଗୀତାଙ୍କ ବ୍ଲଡ୍‌ ଗ୍ରୁପ୍‌ ଜୁବେଦାଙ୍କ ସହିତ ମେଳ ଖାଉଛି ବୋଲି। ତେଣୁ ଡାକ୍ତର ନୀରଜ ଗୋଏଲ ଏବଂ ରମେଶ କୁମାର ଏନେଇ ଇଫରାଙ୍କ କିଡ୍‌ନୀ ଅଜୟଙ୍କଠାରେ ଏବଂ ଗୀତାଙ୍କ କିଡ୍‌ନୀ ଜୁବେଦାଙ୍କଠାରେ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ଇଫରା ଏବଂ ଗୀତା ମଧ୍ୟ ଏଥିରେ ରାଜି ହୋଇଥିଲେ। ଏହାପରେ ସଫଳତାର ସହିତ ଅଜୟ ଏବଂ ଜୁବେଦାଙ୍କଠାରେ କିଡ୍‌ନୀ ପ୍ରତିରୋପଣ ହୋଇଥିଲା।

Share