Categories: ଜାତୀୟ

‘ହିନ୍ଦୁ ମୁସଲମାନ ଗୋଟିଏ ଥାଳିରେ ବସି ଖାଆନ୍ତୁ’, ଏମିତି ପ୍ରାର୍ଥନା କରିଥିବା ଇମାମଙ୍କୁ ହତ୍ୟା

ଗୁରୁଗ୍ରାମ,୩।୮: ହରିୟାଣା ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ପ୍ରଭାବ ଗୁରୁଗ୍ରାମରେ ବି ଦେଖିବାକୁ ମିଳିଛି। ଗୁରୁଗ୍ରାମର ଅଞ୍ଜୁମାନ ମସଜିଦରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ ଯେଉଁଥିରେ ୨୨ ବର୍ଷିୟ ନାଏବ ଇମାମ ସାଦଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ସୋସିଆଲ ମିଡିଆରେ ଇମାମ ସାଦଙ୍କ ଏକ ଭିଡିଓ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଇମାମ ଏକ ଗୀତ ଗାଉଛନ୍ତି ଏବଂ କହୁଛନ୍ତି, ହିନ୍ଦୁ ମୁସଲମାନ ଖାଏ ଏକ ଥାଲି ମେନ, ଐସା ହିନ୍ଦୁସ୍ତାନ ବାନା ଦେ ୟା ଆଲ୍ଲା। ଏହି ଭିଡିଓକୁ ଜାକିର ଅଲି ତ୍ୟାଗି ନାମକ ଜଣେ ୟୁଜର ତାଙ୍କ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। କ୍ୟାପସନରେ ଜାକିର ଅଲି ଲେଖିଛନ୍ତି, ‘ଏହା ହେଉଛି ସେହି ମୌଲାନା ସାଦ ଯାହାକୁ ଆପଣ ଗତକାଲି ରାତିରେ ଗୁରୁଗାଓଁର ଅଞ୍ଜୁମାନ ମସଜିଦରେ ନିଆଁ ଲଗାଇବା ପରେ ହତ୍ୟା କରିଥିଲେ। ସେ ସେହି ମସଜିଦର ଇମାମ ଯିଏ ଦେଶରେ ଶାନ୍ତି ପାଇଁ ଆଲ୍ଲାହାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।’!
ଇମାମଙ୍କ ମୃତ୍ୟୁ ପରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ତାଙ୍କ ପରିବାର ସହ କଥା ହୋଇଥିଲେ। ଏହି ବାର୍ତ୍ତାଳାପର ରେକର୍ଡିଂର ଏକ ଭିଡିଓ ଟୁଇଟ କରାଯାଇଥିଲା, ଯାହା ଓୱାଇସିଙ୍କ ଦ୍ୱାରା ରିଟୁଇଟ କରାଯାଇଥିଲା। ଯେଉଁଥିରେ ଇମାମ ସାଦଙ୍କ ପିତା ମୁସ୍ତାକ କହୁଥିବା ଶୁଣିବାକୁ ମିଳୁଛି, ଆମକୁ ଟାର୍ଗେଟ କରାଯାଉଛି, ଧର୍ମଗୁରୁମାନଙ୍କୁ ଟାର୍ଗେଟ କରାଯାଉଛି, ଦାଢି ଥିବା ଲୋକଙ୍କୁ ଟାର୍ଗେଟ କରାଯାଉଛି। ତେଣୁ ଏହା କେମିତିକା ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି।

Share