ହିନ୍ଦୁ ମୁସଲମାନ ମିଳିମିଶି ନିର୍ମାଣ କରନ୍ତୁ ମନ୍ଦିର-ମସଜିଦ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ଐତିହାସିକ ରାୟ ଦେଇଛନ୍ତି ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ରାୟକୁ ସବୁ ମହଲରୁ ସ୍ବାଗତ କରାଯାଇଛି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବା ସହ ସେହି ଆଖପାଖରେ ମଧ୍ୟ ବାବରୀ ମସଜିଦ ଲାଗି ସରକାର ୫ ଏକର ଜମି ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଉଭୟ ହିନ୍ଦୁ ଓ ମୁସଲମାନ ମିଳିମିଶି ରାମ ମନ୍ଦିର ଓ ବାବରି ମସଜିଦ ନିର୍ମାଣ କରନ୍ତୁ ବୋଲି ଏବେ କଥା ଉଠିଛି। ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ଶେଷ ଦାୟଦ ବୋଲି ଦାବି କରୁଥିବା ପ୍ରିନ୍ସ ୟାକୁବ ହବିବୁଦ୍ଦିନ ତୁସି କହିଛନ୍ତି ଏବେ ରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନମାନେ ସହଯୋଗ କରି ଭାଇଚାରାର ପରିଚୟ ଦେବା ଉଚିତ। ଅନ୍ୟପଟେ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମଧ୍ୟ ସମାନ କଥା କହିଛନ୍ତି। ସେହିପରି କର୍ନାଟକ ପେଜଓ୍ବାର ମଠର ବିଶ୍ୱେସତୀର୍ଥ ସ୍ବାମୀ ମଧ୍ୟ କହିଛନ୍ତି ଏବେ ହିନ୍ଦୁ ଓ ମୁସଲମାନ ମିଶି ଅଯୋଧ୍ୟାରେ ରାମ ମନ୍ଦିର ଓ ବାବରୀ ମସଜିଦ ନିର୍ମାଣ କରିବା ସମୟ ଆସିଯାଇଛି।

Share