Categories: ଖେଳ

ହିନ୍ଦୁ ହୋଇଥିବାରୁ କନେରିଆ ଭେଦଭାବର ଶିକାର ହୋଇଛନ୍ତି: ଅଖତାର

କରାଚୀ/ନୂଆଦିଲ୍ଳୀ, ୨୭।୧୨(ପି.ଟି.)- ମୁସଲିମ୍‌ ବହୁଳ ଦେଶ ପାକିସ୍ତାନରେ ହିନ୍ଦୁମାନେ ଉତ୍ପୀଡନର ଶିକାର ହେବା ନୂଆ କଥା ନୁହଁ। ତେବେ ଜଣେ ତାରକା କ୍ରିକେଟର ହିନ୍ଦୁ ହେବା କାରଣରୁ ପାକିସ୍ତାନରେ ଭେଦଭାବର ଶିକାର ହେବା ଅନେକଙ୍କ ହଜମ ହେବ ନାହିଁ। ପୂର୍ବତନ କ୍ରିକେଟର ତଥା ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତାର ପିଟିଭ ସ୍ପୋଟର୍‌ସ ଚ୍ୟାନେଲର ଏକ ଶୋ ‘ଗେମ୍‌ ଅନ୍‌ ହେ’ରେ କହିଛନ୍ତି। କନେରିଆଙ୍କ ପ୍ରଦର୍ଶନ ବଳରେ ଆମେ ଇଂଲଣ୍ଡରେ ଟେଷ୍ଟ ଜିତିଥିଲୁ। କିନ୍ତୁ ତାଙ୍କୁ ଏଥିପାଇଁ ଶ୍ରେୟ ଦିଆଯାଇ ନ ଥିଲା ଅଖତାର କହିଛନ୍ତି। କନେରିଆ ମଧ୍ୟ ଅଖତାରଙ୍କ ଏହି କଥାକୁ ସମର୍ଥନ କରିଛନ୍ତି। ଅଖତାରଙ୍କ ସମେତ ଇଞ୍ଜାମାମ ଉଲ ହକ, ମହମ୍ମଦ ୟୁସୁଫ, ୟୁନିସ ଖାଁ ମୋତେ ଖେଳିବାବେଳେ ସମର୍ଥନ କରିଛନ୍ତି। ତେବେ ଯେଉଁମାନେ ମୋତେ ଅଣଦେଖା କରିଛନ୍ତି ସେମାନଙ୍କ ନାମ ଖୁବଶୀଘ୍ର ସମସ୍ତଙ୍କୁ ଜଣାଇବି ବୋଲି କନେରିଆ କହିଛନ୍ତି। ଖେଳିବା ବେଳେ ଏ ନେଇ ମୁହଁ ଖୋଲିବାକୁ ସାହସ କରୁ ନ ଥିଲି। ଏବେ ଅଖତାରଙ୍କ ପାଇଁ ମୁହଁ ଖୋଲିବି। ପାକିସ୍ତାନ ପାଇଁ ଖେଳିଥିବାରୁ ଗର୍ବିତ ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ୩୯ ବର୍ଷୀୟ କନେରିଆ କାଉଣ୍ଟି କ୍ରିକେଟରେ ସ୍ପଟ୍‌ ଫିକ୍ସିଂ କରିଥିବା ମନା କରିଆସୁଥିଲେ ମଧ୍ୟ ୬ ବର୍ଷ ପରେ ସ୍ବୀକାର କରିଥିଲେ। ସେ ମଧ୍ୟ ଏଥିପାଇଁ ବାସନ୍ଦ ହୋଇଥିଲେ। କନେରିଆ ପାକିସ୍ତାନ ପାଇଁ ୬୧ଟି ଟେଷ୍ଟ ଖେଳି ୩୪.୭୯ ରନ ହାରରେ ୨୬୧ଟି ଉଇକେଟ ହାସଲ କରିଥିଲେ। ସେ ମଧ୍ୟ ୧୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। କନେରିଆଙ୍କୁ ବାଦ୍‌ ଦେଲେ ଆଉ ଜଣେ ହିନ୍ଦୁ କ୍ରିକେଟର ପାକିସ୍ତାନ ପାଇଁ ଖେଳିଛନ୍ତି। ସେ ହେଉଛନ୍ତି ଅନିଲ ଦଳପତ। ୬୭ ବର୍ଷର ଇତିହାସରେ କେବଳ ୨ଜଣ ହିନ୍ଦୁ ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି। ଅନିଲ ସମ୍ପର୍କରେ କାନେରିଆଙ୍କ ମାମୁ ହେବେ।

Share