ଶିମଲା,୨୫।୬: ହିମାଚଳ ପ୍ରଦେଶ କିନୌର ଜିଲାର କଶଙ୍ଗ ନାଳ ନିକଟରେ ଭୂସ୍ଖଳନ ଯୋଗୁ ପାହାଡ଼ର ଏକ ଅଂଶ ଧସି ଯାଇଥିଲା। ଫଳରେ ନ୍ୟାସନାଲ ହାଇଓ୍ବେ-୫ରେ ରାସ୍ତା ଜାମ୍ ହେବା ସହ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ଏହି ଘଟଣାର ପୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାହାଡ଼ରେ କିଛି ସମୟ ହଲଚଲ ହେବା ପରେ ଧସିି ତଳକୁ ପଡ଼ିଥିଲା। ଏହାକୁ ଦେଖି ଲୋକମାନେ ଭୟଭୀତ ହୋଇ ଏପଟେ ସେପଟେ ଦୌଡିବାକୁ ଲାଗିଥିଲେ। ଏହି ସବୁ ଦୃଶ୍ୟ କେହି ବ୍ୟକ୍ତି ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ରାସ୍ତାରୁ ଧସି ଯାଇଥିବା ପହାଡ଼କୁ ସଫା କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି।