Categories: ମେଟ୍ରୋ

ହିରୋଶିମା ଦିବସରେ ଶାନ୍ତିର ବାର୍ତ୍ତା

ପୁରୀ ଅଫିସ, ୭ା୮: ‘ଇଣ୍ଟିଗ୍ରେଟର ଆସୋସିଏଶନ ଫର୍‌ ଦ ଫ୍ୟୁଚର ଅଫ୍‌ ହ୍ୟୁମାନିଟି’ (ଆଇଏଏଫ୍‌ଏଚ୍‌) ପକ୍ଷରୁ ସ୍ଥାନୀୟ ଷ୍ଟେଶନରୋଡ଼ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ମଙ୍ଗଳବାର ହିରୋଶିମା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ଅଳକାନନ୍ଦା ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଶ୍ରୀମନ୍ଦିର ପ୍ରଶାସକ (ରାଜସ୍ବ) ମଧୁସୂଦନ ଦାସ ଯୋଗଦେଇ ଲାଲ୍‌ ବାହାଦୁର ଶାସ୍ତ୍ରୀ, ଆବ୍ରାହମ ଲିଙ୍କନ ପ୍ରମୁଖଙ୍କ ଉଦାହରଣ ଦେଇ ନିଷ୍ଠା ଓ ସେବା ମନୋଭାବ ରଖି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ସୁରେନ୍ଦ୍ର ମହାନ୍ତି ହିରୋଶିମା ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଅଗଷ୍ଟ ୬ରେ ହିରୋଶିମାରେ ହୋଇଥିବା ଆକ୍ରମଣ ବିଭୀଷିକାର କେତେ ଭୟାନକ ଥିଲା ତାହା ଶାନ୍ତି ପାର୍କରୁ ଜଣାପଡ଼େ। ମନୁଷ୍ୟ ନିଜ ଗର୍ବ ଅହଙ୍କାରକୁ ତ୍ୟାଗ କରି ସମାଜ କଲ୍ୟାଣ ଦିଗରେ ଆଗେଇଲେ ରାଷ୍ଟ୍ରର ବିକାଶ ସମ୍ଭବ ହେବ। ସମ୍ମାନିତ ଅତିଥି ଭାବେ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ବିଜୟ ଦାସ ଯୋଗଦେଇ କହିଥିଲେ, ମନୁଷ୍ୟ ନିଜ ଭୋଗବିଳାସ ଲାଗି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ଜ୍ୟୋତିର୍ବିଦ ଅନାମ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ କବି ଶରତ ସାହୁ ଶାନ୍ତି ଉପରେ କବିତା ପାଠ କରିଥିଲେ। ଅନୁଷ୍ଠାନର ସହସମ୍ପାଦକ ହେକ୍ଟେର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦେବୀ ପ୍ରସନ୍ନ ନନ୍ଦ, ରବି ସାହୁ, ବ୍ୟୋମକେଶ ପ୍ରସାଦ, ବ୍ରହ୍ମାନନ୍ଦ ସାହୁ, ଟୁକୁନି ବଡଜେନା, ମାୟାଧର ମହାରଣା, ଅବିନାଶ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ବୁଦ୍ଧପ୍ରେମୀ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ଶାନ୍ତିର କପୋତ ଉଡ଼ାଇଥିଲେ। ପରେ ବୁଦ୍ଧ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଶାନ୍ତିର ବାର୍ତ୍ତା ଦେଇ ଜିଲା ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା।

Share