ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର ଉପରେ ପକାଯାଇଥିଲା ପରମାଣୁ ବୋମା, ନିରୀହ ଜନସାଧାରଣ ଗ୍ରୀଷ୍ମଋତୁର ସାକୁରା ପୁଷ୍ପ ପ୍ରସ୍ଫୁଟିତ ଉଦ୍ୟାନ ନଗରୀ ହିରୋସୀମାରେ ସୁନେଲି ସକାଳକୁ ଉପଭୋଗ କରୁଥିବାବେଳେ ସହର ଉପରେ ସକାଳ ୮ଟା ୧୬ମିନିଟରେ ଆମେରିକାର ବୋମାବର୍ଷି ବିମାନ ‘ଏନୋଲା ଗେ’ରୁ ’ଲିଟିଲ୍ ବୟ’ ନାମକ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା। ନିମିଷେକ ମଧ୍ୟରେ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ନଗରୀକୁ ଧୂଳିସାତ ହୋଇଯାଇଥିଲା। ଇତିମଧ୍ୟରେ ବିତିଛି ୭୩ ବର୍ଷ ତେବେ ହିରୋସୀମାର ଲୁହଲହୁ ଭିଜା କାହାଣୀ ଯେତେ ଲେଖିଲେ ମଧ୍ୟ ଶେଷ ହୋଇପାରୁନାହିଁ। ବୋମା ବିସ୍ଫୋରଣ ପର ଦୃଶ୍ୟ ଥିଲା ହୃଦୟ ବିଦାରକ। ମୃତ ଦେହର ଲମ୍ବାଧାଡ଼ି ଲାଗିରହିଥିଲା ବହୁଦୂର ଯାଏ। ଯେଉଁମାନେ ମରିଗଲେ ସେମାନେ ହୁଏତ ତରିଗଲେ ମାତ୍ର ଯେଉଁମାନେ ବଞ୍ଚତ୍ରହିଥିଲେ ସେମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଥିଲା ଅକଥନୀୟ। ପରମାଣୁ ବିଭୀଷିକାରେ ଅଧିକାଂଶ ହୋଇଯାଇଥିଲେ ଅନ୍ଧ, ବିକଳାଙ୍ଗ। ଅନେକଙ୍କ ହାତ, ଗୋଡ଼ ସେମାନଙ୍କ ଆଖି ଆଗରେ ଜଳୁଥିଲା। ରାସ୍ତାର ଙ୍କକ୍ରିଟ, ଘରବାଡ଼ି ସବୁ ହିଁ ଜଳୁଥିଲା। ଏକ କଳା ବହଳିଆ ମାଟି ଓ ଧୂଆଁ ଲୋକଙ୍କୁ କଳାରଙ୍ଗର ପୋଡ଼ା ଅଙ୍ଗାରଭଳି ରୂପ ପ୍ରଦାନ କରିଥିଲା। ଲୋକଙ୍କ ଦେହରେ ନ ଥିଲା ଲୁଗାପଟା। ବୋମା ବିଷୟରେ କିଛି ଜାଣିବାପୂର୍ବରୁ ବିସ୍ଫୋରଣ ସହିତ ସମସ୍ତଙ୍କ ଦେହରେ ଥିବା ପୋଷାକ ଆପଣାଛାଏଁ ଜଳି ଉଠିଥିଲା। ବିସ୍ଫୋରଣସ୍ଥଳର ୨ କିଲୋମିଟର ବ୍ୟାସ ଅଞ୍ଚଳର କୋଠାବାଡ଼ି ସହ ମାଟି, ପଥର, ରାସ୍ତାର ଙ୍କକ୍ରିଟ ସବୁ ଧୂଳିରେ ପରିଣତ ହୋଇ ଆକାଶକୁ ଉଠିଯାଇଥିଲା। ମଣିଷ, ଘରଦ୍ୱାର, ରାସ୍ତାଘାଟ, ଜୀବଜନ୍ତୁ ମିଶିଯାଇଥିଲେ ଏହି କଳା ଧୂସର ମାଟି ସହିତ ମାଟି ହୋଇ। ପାଖରେ ବୋହିଯାଉଥିବା ଜଳଧାରାର ମଧ୍ୟ ଅସ୍ତିତ୍ୱ ନଥିଲା । ବୋମା ଫୁଟିବାବେଳେ ସୃଷ୍ଟି ହୋଇଥିବା ପ୍ରଚଣ୍ଡ ଶବ୍ଦ ଓ ବାୟୁର ଚାପ ମଣିଷ ଭଳି ନରମ ଶରୀରଧାରୀ କ୍ଷୁଦ୍ର ଜୀବ ପାଇଁ ଅସହ୍ୟ ଥିଲା ୫ କିଲୋମିଟର ଅଞ୍ଚଳର ଲୋକେ ସମ୍ପୂର୍ଣ୍ଣଭାବେ ଦୃଷ୍ଟିଶକ୍ତି ଓ ଶ୍ରବଣ ଶକ୍ତି ହରାଇଥିଲେ। ସେମାନଙ୍କର କାନର ପରଦା ଫାଟିଯାଇ ରକ୍ତସ୍ରାବ ହେଉଥିଲା। ପରମାଣୁ ବୋମା ବିସ୍ଫୋରଣ ସମୟରେ ସୃଷ୍ଟି ହୋଇଥିବା ଚାପ ବାୟୁ ମଣ୍ଡଳୀୟ ଚାପ ଠାରୁ ୧୦ ଲକ୍ଷ ଗୁଣରୁ ଅଧିକ ଥିଲା। ବୋମା ପଡ଼ିବା ସ୍ଥାନର ତାପମାତ୍ରା ଥିଲା ପ୍ରାୟ ୧୦ ଲକ୍ଷ ଡ଼ିଗ୍ରୀ ସେଣ୍ଟିଗ୍ରେଡ୍। ଏଥିରୁ ସୃଷ୍ଟି ହୋଇଥିବା ଶକ୍ତିର ପରିମାଣ ଲକ୍ଷେ କୋଟି କିଲୋ କ୍ୟାଲୋରୀ। ପରମାଣୁ ବୋମାର ପ୍ରମୁଖ ୩ଟି ଧ୍ୱଂସକାରୀ ଶକ୍ତି ମଧ୍ୟରୁ ପ୍ରଥମ ଦୁଇଟି କ୍ଷୟକାରୀ ଓ ଦହନକାରୀ ହୋଇଥିବାବେଳେ ତୃତୀୟଟି ଥିଲା ଆହୁରି ମାରାମତ୍କ। ଏହା ହେଉଛି ତେଜସ୍କ୍ରିୟ ବିକିରଣ। ଏହା କର୍କଟ ରୋଗ ସୃଷ୍ଟି କରିବା ସହିତ ସମ୍ପୂର୍ଣ୍ଣ ଶରୀର ତଥା ବିଭିନ୍ନ ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗ ପାଇଁ ଥିଲା କ୍ଷତିକାରକ। ମାନବ ଇତିହାସର ଏହି କଳାଦିନକୁ ଭୁଲିବାକୁ ବିଶ୍ୱସ୍ତରରେ ଦୀର୍ଘ ୭୪ ବର୍ଷ ଧରି ପ୍ରୟାସ ଜାରି ରହିଛି।