ହିରୋ ସାଜିଲେ ଭାରତୀୟ ବ୍ୟବସାୟୀ

ଓ୍ବାଶିଂଟନ,୪ା୬(ପି.ଟି.): ମିନେସୋଟା ରାଜ୍ୟସ୍ଥିତ ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ ହତ୍ୟା ଘଟଣାର ପ୍ରତିବାଦରେ ଆମେରିକାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଜଣେ ଭାରତୀୟ ବ୍ୟବସାୟୀ ୭୫ ବିକ୍ଷୋଭକାରୀଙ୍କୁ ନିଜ ଘରେ ସୁରକ୍ଷା ଦେଇ ନିଜ ପାଇଁ ଜଣେ ହିରୋର ପରିଚୟ ସୃଷ୍ଟି କରିପାରିଛନ୍ତିି। ସେ ବିକ୍ଷୋଭକାରୀମାନଙ୍କୁ ପୋଲିସ କବଳରୁ ଉଦ୍ଧାର କରିବା ସହ ଖାଇବାକୁ ଦେଇ ନିଜ ଘରେ ସୁରକ୍ଷିତ ଭାବେ ଆଶ୍ରୟ ଦେଇଥିଲେ। ଗତ ସପ୍ତାହରେ ଫ୍ଲୋଏଡ୍‌ଙ୍କ ଗଳାକୁ ଆମେରିକା ପୋଲିସ ଆଣ୍ଠୁରେ ଚାପି ହତ୍ୟା କରିବା ଘଟଣାରେ ସାରା ଦେଶରେ ଆନ୍ଦୋଳନର ନିଆଁ ଜଳୁଛି। ଆମେରିକା ଇତିହାସରେ ଏହା ସବୁଠୁ ବଡ଼ ଆନ୍ଦୋଳନ ବୋଲି କୁହାଯାଉଛି। ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଓ୍ବାଶିଂଟନ ଡିସିରେ ୧୭ ବର୍ଷ ହେଲା ରହୁଥିବା ଭାରତୀୟ ବ୍ୟବସାୟୀ ରାହୁଲ ଦୁବେ ନିଜ ପରିବାର ମଧ୍ୟରେ ୭୫ ଜଣ ବିକ୍ଷୋଭକାରୀଙ୍କୁ ଆଶ୍ରୟ ଦେଇଥିବାରୁ ଏଥିପାଇଁ ସେମାନେ କୃତଜ୍ଞତା ପ୍ରଦାନ କରିଛନ୍ତି। ଦୁବେଙ୍କ ଏହି କାର୍ଯ୍ୟକୁ ଆମେରିକାର ବହୁ ଗଣମାଧ୍ୟମ ପ୍ରଶଂସା କରିଛନ୍ତି। ଗତ ରାତିରେ ପୋଲିସ ପିପର୍‌ ସ୍ପ୍ରେ କରିବା ସହ ବିକ୍ଷୋଭକାରୀଙ୍କୁ ଗୋଡ଼ାଇ ପିଟୁଥିବାବେଳେ ରାହୁଲ ଆମ ଜୀବନ ବଞ୍ଚାଇଦେଲେ ବୋଲି ଜଣେ ବିକ୍ଷୋଭକାରୀ ଟୁଇଟ୍‌ କରିଛନ୍ତି। ସକାଳେ କର୍ଫ୍ୟୁ କୋହଳ ହେବା ପରେ ବିକ୍ଷୋଭକାରୀ ନିଜ ନିଜ ଘରକୁ ଫେରିଯାଇଥିଲେ।

Share