Categories: ବାଣିଜ୍ୟ

ହିସାବ ଚୂଡ଼ାନ୍ତ କରିବା ପାଇଁ ଏୟାର ଇଣ୍ଡିଆକୁ ୫୦ ଦିନ ସମୟ

ନୂଆଦିଲ୍ଲୀ,୧୨-୫: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଉପରେ ଏବେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଋଣ ବକେୟା ରହିଛି। ଚଳିତ ଆର୍ଥିକ ବର୍ଷରେ ଉଡ଼ାଣ ଭରିବାକୁ ହେଲେ ଏହାକୁ ଅତିକମ୍‌ରେ ୧୨ ହଜାର କୋଟି ଟଙ୍କାର ବକେୟା ଋଣ ଫେରସ୍ତ କରିବାକୁ ହେବ। ଏଣୁ ଏ ସମ୍ପର୍କରେ ନୂଆ ସରକାର ନିଷ୍ପତ୍ତି ନେବେ। ଏହି କାରଣରୁ ଗତ ଆର୍ଥିକ ବର୍ଷ ୨୦୧୮-୧୯ର ହିସାବକିତାବ ଚୂଡ଼ାନ୍ତ କରିବା ଲାଗି କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଓ ଏହାର ସହାୟକ କମ୍ପାନୀଗୁଡ଼ିକର ମ୍ୟାନେଜମେଣ୍ଟକୁ ୫୦ ଦିନ ସମୟ ଦେଇଛନ୍ତି। ଆଗାମୀ ଦିନରେ ବିଡ଼୍‌ ପ୍ରକ୍ରିୟା ଆରମ୍ଭ କରିବା ଲାଗି ନୂଆ ସରକାର ଏହାକୁ ଆଧାର ଭାବେ ଗ୍ରହଣ କରିବେ। ବେସାମରିକ ବିମାନ ଚଳାଚଳ ସଚିବ ପି.ଏସ୍‌. ଖରୋଲା ଏ ସମ୍ପର୍କରେ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପ୍ରିଲ ପହିଲାରେ ଏୟାର ଇଣ୍ଡିଆ ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ ବିକ୍ରି କରିବା ନେଇ ଆଲୋଚନା କରାଯାଇଥିଲା। ଏଆଇଏଟିଏସ୍‌ଏଲ୍‌, ଏଆଇଇଏସ୍‌ଏଲ୍‌ ଏବଂ ଏଏଏସ୍‌ଏଲ୍‌ରୁ ପୁଞ୍ଜିପ୍ରତ୍ୟାହାରକୁ ତ୍ୱରାନ୍ବିତ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି କାରଣରୁ ଏଗୁଡ଼ିକର ୨୦୧୮-୧୯ର ଅଡିଟ୍‌ ହୋଇଥିବା ହିସାବକିତାବ ରିପୋର୍ଟ ଆବଶ୍ୟକ। ଜୁନ୍‌ ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବାକୁ ଏୟାର ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି।

Share