ହୀରାକୁଦ ଡ୍ୟାମ୍‌ରୁ ୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ

ସମ୍ବଲପୁର,୭ା୯(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଶନିବାର ୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ ସକାଳ ୯ଟା ପର୍ଯ୍ୟନ୍ତ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେହିପରି ପ୍ରତି ସେକେଣ୍ଡରେ ଡ୍ୟାମ୍‌କୁ ୧ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ପାୱାର ଚ୍ୟାନେଲ୍‌ରେ ୧୮ ହଜାର ୫୩୫, ବିଭିନ୍ନ କେନାଲରେ ୨ହଜାର ୬୧୯ ଓ ଶିଳ୍ପକୁ ୧୭୦ କ୍ୟୁସେକ୍‌ ଜଳ ଛଡା ଯାଉଛି । ସେହିପରି ଡ୍ୟାମ ତଳ ମୁଣ୍ଡ ବେଲଗାଁରେ ୬୬ ହଜାର ୪୦୦, ପର୍ଥଲାରେ ୩ଲକ୍ଷ ୪ ହଜାର ୯୬୦, ଖଇରମାଲରେ ୫ଲକ୍ଷ ୯୮ ହଜାର, ବରମୂଳାରେ ୫ଲକ୍ଷ ୫୨ ହଜାର ଓ ମୁଣ୍ଡଳିରେ ୨ଲକ୍ଷ ୮୭ ହଜାର ୩୭୯ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମ୍‌ ଉପର ମୁଣ୍ଡରେ ବର୍ଷା ଅଧିକ ପରିମାଣରେ ବୃଦ୍ଧି ହେବାରୁ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ବୁର୍ଲାରେ ୩.୧ ମିମି, ହୀରାକୁଦ ୧.୫ ମିମି ବର୍ଷା ରେକର୍ଡ କରାଯାଇଛି । ଡ୍ୟାମ୍‌ରେ ଜଳସ୍ତର ୬୨୫.୨୭ ରହିଛି ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍‌ରେ ଜଳ ନିଷ୍କାସନ କରାଯାଉଛି। ଅନ୍ୟ ୬ ଟିକୁ ବନ୍ଦ କରି ଦିଆଯାଇଛି।