ହୁଇଲ ଚେୟାର ଅଚଳ, ରୋଗୀଙ୍କୁ ଟେକିଟେକି ନେଲେ ପରିବାର ଲୋକେ

କୋରାପୁଟ,୨୫ା୫(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଘୋର ଅବ୍ୟବସ୍ଥା। ରୋଗୀମାନଙ୍କୁ ନେବା ଆଣିବା ଉଦ୍ଦେଶ୍ୟରେ ଥିବା ଅଧିକାଂଶ ହୁଇଲ ଚେୟାର ଅଚଳ ହୋଇ ପଡିଥିବାବେଳେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କୁ ତାଙ୍କ ସମ୍ପର୍କୀୟ ଟେକିଟେକି ନେଉଥିବା ଦୃଶ୍ୟ ବୁଧବାର ଦେଖିବାକୁ ମିଳିଛି।
୨ ଜଣ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ହୁଇଲ ଚେୟାର ଯୋଗେ ହସ୍ପିଟାଲ ଭିତରକୁ ନେବାକୁ ଚାହିଁଥିଲେ। କିନ୍ତୁ ହୁଇଲ ଚେୟାର ଚକ ଖରାପ ଥିବାରୁ ନେଇ ପାରି ନ ଥିଲେ। ବାଧ୍ୟ ହୋଇ ରୋଗୀଙ୍କ ଜଣେ ସମ୍ପର୍କୀୟ ତାଙ୍କୁ ଟେକିଟେକି ନେଇଥିଲେ। ସେହିଭଳି ହସ୍ପିଟାଲ ମୁଖ୍ୟ ଫାଟକ ନିକଟରେ ଅନେକ ଖରାପ ହୋଇଥିବା ହୁଇଲ ଚେୟାର ଓ ଷ୍ଟ୍ରେଚର ପଡ଼ି ରହୁଥିବା ଦେଖିବାକୁ ମିଳେ। ହୁଇଲ ଚେୟାର ଓ ଷ୍ଟ୍ରେଚର କାହଁିକି ମରାମତି କରାଯାଉନାହିଁ ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଅଚଳ ଷ୍ଟ୍ରେଚର ଓ ହୁଇଲ୍‌ ଚେୟାର ତୁରନ୍ତ ମରାମତି କରିବାକୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।

Share