ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ଏକ ଗବେଷଣାରୁ ବିଶେଷଜ୍ଞମାନେ ଏହା ଜାଣିବାକୁ ପାଇଛନ୍ତି। ବିଶେଷଜ୍ଞଙ୍କ ମତରେ, ସ୍ପଣ୍ଡିଲାଇଟ୍ସକୁ ଅଣଦେଖା କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଗମ୍ଭୀର ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଏହା ଏକ ପ୍ରକାର ଗଣ୍ଠି ରୋଗ। ଏଥିପାଇଁ ଅଣ୍ଟା ଯନ୍ତ୍ରଣା ଆରମ୍ଭ ହୋଇ ପିଠି ଏବଂ ବେକକୁ ଗ୍ରାସ କରିଥାଏ। ଏହାବ୍ୟତୀତ ଶରୀରର ତଳ ଭାଗ ଅର୍ଥାତ୍‌ ଜଙ୍ଘ, ଗୋଡ଼, ଆଣ୍ଠୁ ଏବଂ ପାଦରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ମେରୁଦଣ୍ଡର ହାଡ଼ ଉପରେ କୌଣସି ଚାପ ପଡ଼ିବା ଭଳି ଅନୁଭୂତ ହୁଏ। ଏଥିପାଇଁ ଅସହନୀୟ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ିଥାଏ। ବିଶେଷକରି ଏହି ସମସ୍ୟା ୪୫ରୁ ଊର୍ଦ୍ଧ୍ୱ ବୟସର ପୁରୁଷ ଏବଂ ମହିଳାଙ୍କଠାରେ ଦେଖାଯାଇଥାଏ। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପାନୀୟର ଅନିୟମିତତା ଯୋଗୁ ଯୁବପିଢ଼ି ଏବଂ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ପାଇଁ କାନ୍ଧ, ଜଙ୍ଘ, ପାଦ, ହାତ ଏବଂ ଗୋଡ଼ ବ୍ୟତୀତ ଆଖି, ଫୁସ୍‌ଫୁସ୍‌ ଏବଂ ହୃତ୍‌ପିଣ୍ଡ ଉପରେ ପ୍ରଭାବ ପଡ଼ିଥାଏ। ଏହି ପ୍ରଭାବରୁ ରୋଗୀ ଭିତରେ ଆଳସ୍ୟ ଏବଂ ଥକାପଣ ବଢ଼ିଥାଏ। ସମୟ ପୂର୍ବରୁ ଏଥିପ୍ରତି ସଜାଗ ହେଲେ କିଛି ମାତ୍ରାରେ ରକ୍ଷା ପାଇହେବ। ସ୍ପଣ୍ଡିଲାଇଟ୍ସ ଏକ ଗମ୍ଭୀର ରୋଗ। କିନ୍ତୁ ଏହା ଉପରେ ଏବେ ବି କମ୍‌ ଗବେଷଣା ହୋଇଛି। ଭାରତରେ ଆୟୁର୍ବେଦ ଏବଂ ଏଲୋପ୍ୟାଥିକ୍‌ ପଦ୍ଧତି ଦ୍ୱାରା ଏହା ଉପରେ କିଛି ମାତ୍ରାରେ ନିୟନ୍ତ୍ରଣ ପାଇହେଉଛି।