ହୃଦରୋଗରେ ଡାକ୍ତରଙ୍କ ପରଲୋକ

ଖଇରା, ୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅନ୍ତରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସରୋଜ କୁମାର ମହାପାତ୍ର(୪୩) ହୃଦ୍‌ରୋଗରେ ପ୍ରାଣ ହରାଇଛନ୍ତି। ନୀଳଗିରି ମିତ୍ରପୁର ଅଞ୍ଚଳର ଏହି ଡାକ୍ତର ଜଣକ ଅନ୍ତରା ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ଭାବେ ୮ବର୍ଷ ଧରି ନିରବିଚ୍ଛିନ୍ନ ସେବା ପ୍ରଦାନ କରି ଆସୁଥିଲେ । ୬ମାସ ତଳେ ସେ ହୃଦ୍‌ରୋଗରେ ପୀଡିତ ହେବା ପରେ ତାଙ୍କୁ ଭୁବନେଶ୍ୱର ଏମସ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ଅସ୍ତ୍ରୋପଚାର ସଫଳ ନ ହେବାରୁ ତାଙ୍କୁ ପୁନଶ୍ଚ ବମ୍ବେ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ଏପଟେ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚଳାବସ୍ଥାକୁ ହୃଦୟଙ୍ଗମ କରି ସେ ସେଠାକାର ଡାକ୍ତରଙ୍କୁ କହି ୨୨ଦିନ ଲାଗି ନିଜର କର୍ମଭୂମିକୁ ଫେରିଥିଲେ। ଘଟଣାକ୍ରମେ ଲକ୍‌ଡାଉନ ଓ କରୋନା ଯୁଦ୍ଧ ପାଇଁ ସେ ଆଉ ବମ୍ବେ ଫେରି ପାରି ନ ଥିଲେ। ଘଟଣାକ୍ରମେ ସେହି ଅନ୍ତରାରେ ଜଣେ କରୋନା ପଜିଟିଭରେ ଆକ୍ରାନ୍ତ ହେବା ତାଙ୍କ ଉପରେ ଦାୟିତ୍ୱ ଆହୁରି ବଢିଯାଇଥିଲା। ଏହି ତାଙ୍କ ଛାତିରେ ପୁଣି କଫ ଜମିଯିବା କାରଣରୁ ତାଙ୍କୁ ୪ଦିନ ତଳେ ଚିକିତ୍ସା ପାଇଁ କଟକ ନିଆଯାଇଥିଲା। ପ୍ରଥମେ ତାଙ୍କୁ ଥଣ୍ଡା ଯୋଗୁ କରୋନା ଚିକିତ୍ସା ଓ ପରେ ସ୍ବାବ ନେଗେଟିଭ ଆସିବା ପରେ ତାଙ୍କୁ ହୃଦରୋଗଜନିତ ଚିକିତ୍ସା କରାଯାଉଥିବା ବେଳେ ରବିବାର ସକାଳେ ପ୍ରାଣବାୟୁ ଉଡିଯାଇଥିଲା। ତାଙ୍କର ଏଭଳି ଆକସ୍ମିକ ବିୟୋଗ ସମଗ୍ର ଅନ୍ତରା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।