ହୃଦରୋଗ ଚିକିତ୍ସା ପାଇଁ ୪୩ ଶିଶୁ ଭୁବନେଶ୍ୱର ଗଲେ

ବରଗଡ଼ ଅଫିସ୍‌,୨୦।୭
ବରଗଡ଼ ଜିଲାର ୪୩ଜଣ ଶିଶୁଙ୍କୁ ହୃଦରୋଗ ଚିକିତ୍ସା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶ୍ରୀ ସାଇ ଜନନୀ କ୍ୟାମ୍ପସକୁ ପ୍ରେରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୬, ଝାରବନ୍ଧ ୫, ପାଇକମାଳ ୮, ଗାଇସିଲେଟ ୪, ବରପାଲି ୪, ଅତାବିରାର ୭ ଜଣ ଶିଶୁ ଅଛନ୍ତି । ଶିଶୁଙ୍କ ସହିତ ସେମାନଙ୍କ ଅଭିଭାବକମାନେ ମଧ୍ୟ ଯାଇଛନ୍ତି । ସେମାନଙ୍କ ସହିତ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ) ଅମୀୟ ସାହୁ, ବସନ୍ତ ସାମଲ, ଚୂଡ଼ାମଣି ଦେବତା, ଡା. ଯଯାତି ରାଉତ ପ୍ରମୁଖ ଯାଇଥିବାବେଳେ ୨ଟି ବସ୍‌ ଯୋଗେ ସମସ୍ତଙ୍କୁ ସେଠାକୁ ପଠାଯାଇଛି । ଗୁଜୁରାଟ ଅହମ୍ମଦାବାଦରୁ ଆସିଥିବା ଡାକ୍ତରୀ ଦଳ ଶନିବାର ସେହି ଶିଶୁମାନଙ୍କୁ ପ୍ରାରମ୍ଭିକ ଯାଞ୍ଚ କରି ଅସ୍ତ୍ରୋପଚାର ଦିବସ, ସମୟ ନିର୍ଦ୍ଧାରଣ କରିବେ ଏବଂ ପରବର୍ତ୍ତୀ ସମୟରେ ସେହି ଶିଶୁମାନଙ୍କୁ ପର୍ଯ୍ୟାୟକ୍ରମେ ଅସ୍ତ୍ରୋପଚାର ପାଇଁ ଗୁଜୁରାଟର ଅହମ୍ମଦାବାଦ ଓ ରାଜକୋଟ୍‌ ପଠାଯିବ । ସେଠାରେ ମାଗଣାରେ ହୃଦ ଅସ୍ତ୍ରୋପଚାର କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି । ଶିଶୁମାନଙ୍କ ଯାତାୟାତ ଓ ଚିକିତ୍ସା ଖର୍ଚ୍ଚ ଆରବିଏସକେ ବହନ କରୁଥିବାବେଳେ ଏଠାରୁ ଶିଶୁମାନେ ଭୁବନେଶ୍ୱର ଯାତ୍ରା କରିବାବେଳେ ସ୍ଥାନୀୟ ବସଷ୍ଟାଣ୍ଡରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସାଧୁଚରଣ ଦାଶ, ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ ଶଙ୍କର ଆଚାର୍ଯ୍ୟ, ଆରବିଏସକେ ମ୍ୟାନେଜର ରାକେଶ ମହାପାତ୍ର ଏବଂ ଅନ୍ୟ ସ୍ବାସ୍ଥ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶୁଭ କାମନା ଜଣାଇଥିଲେ । ପ୍ରକାଶଥାଉକି, ଆରବିଏସକେ ତରଫରୁ ଡାକ୍ତରୀଦଳ ଜିଲାର ଗ୍ରାମଗୁଡ଼ିକୁ ଯାଇ ଏଭଳି ରୋଗୀ ଚିହ୍ନଟ କରିଥିଲେ । ଚିହ୍ନଟ ହେବା ପରେ ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଜିଲା ମୁଖ୍ୟ ଡାକ୍ତରଖାନାରେ ପୁଣି ସେହି ଶିଶୁମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନେ ହୃଦରୋଗରେ ପୀଡ଼ିତ ଥିବା ଜଣାପଡ଼ିବ