Categories: ଗଞ୍ଜାମ

ହୃଦ୍‌ଘାତରେ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୫ା୯-ସ୍ତ୍ରୀ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ନକୁଳ ସାହୁ (୩୫)ା ତାଙ୍କ ଘର ହିଞ୍ଜିଳିକାଟୁ ଥାନା ଦୁର୍ବନ୍ଧ ଡେରା ସାହି ବୋଲି ମେଡିକାଲ ଫାଣ୍ଡି ପୋଲିସ ସୂଚନା ଦେଇଛି। ଭୋର ୪ଟାରେ ନକୁଳ ମଣ୍ଡଳ କାରାଗାରରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ନଂ. ୪୮୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପୂର୍ବରୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ମା’ ଅକର୍ମଣ୍ୟ। ଭାଇ ମୁମ୍ବାଇରେ କାମ କରୁଛନ୍ତି। ପୋଲିସ ଗ୍ରାମ ଭଦ୍ରଲୋକ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅପରାହ୍ନରେ ତାଙ୍କ ମୃତଦେହ ପଞ୍ଚନାମା କରିଥିବା କହିଛି।
ପ୍ରକାଶ ଯେ, ୨୦୧୪ରେ ନକୁଳ କୌଣସି କାରଣରୁ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ହିଞ୍ଜିଳିକାଟୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାର ବିଚାର ବେଳେ ମାଜିଷ୍ଟ୍ରେଟ ଉପଯୁକ୍ତ ପ୍ରମାଣକୁ ଆଧାର କରି ୨୦୧୫ ସେପ୍ଟେମ୍ବର ୧୯ରେ ଜେଲ ପଠାଇଥିଲେ। ପ୍ରଥମେ ତାଙ୍କୁ ଛତ୍ରପୁର ଉପ କାରଗାରାରେ ରଖାଯାଇଥିଲା। ପରେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇବାରୁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ୨୦୧୬ ଜୁଲାଇ ୨୮ରେ ସ୍ଥାନାନ୍ତର କରାଯାଇଥିଲା।