ହୃଦ୍‌ରୋଗୀ ଓ ଖାଦ୍ୟ

ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ପଡ଼ିଥାଏ। ତା’ସହ ନିୟମିତ ସମୟ ଅନ୍ତରାଳରେ ଚେକ୍‌ଅପ୍‌ ପ୍ରତି ନଜର ଦେବାକୁ ପଡ଼େ। ଏହାବ୍ୟତୀତ ଜଣେ ହୃଦ୍‌ରୋଗୀ ନିଜର ଖାଦ୍ୟପେୟ ପ୍ରତି ଯଥେଷ୍ଟ ସଚେତନ ରହିବା ଆବଶ୍ୟକ। ବିଶେଷଭାବେ ଲହୁଣି, ଘିଅ, ବନସ୍ପତି, କଲିଜା, ଚର୍ବି, ଚର୍ମ ଲାଗିଥିବା କୁକୁଡା ମାଂସ ଓ ଚର୍ବିଯୁକ୍ତ ଛେଳି ମାଂସ ଠାରୁ ହୃଦ୍‌ରୋଗୀ ଦୂରେଇ ରହିବା ବହୁତ ଭଲ। ଅପରପକ୍ଷରେ ଅଣ୍ଡା କେଶର, ଚିଙ୍ଗୁଡି, କଙ୍କଡ଼ା, ଲହୁଣି, ଘିଅ ଇତ୍ୟାଦିରୁ ମିଳୁଥିବା କୋଲେଷ୍ଟରଲ ହାର୍ଟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅଧିକ ଲବଣଜାତୀୟ ଖାଦ୍ୟ, ଫାଷ୍ଟ୍‌ ଫୁଡ୍‌, ଜଙ୍କ୍‌ ଫୁଡ୍‌ ଆଦୌ ନ ଖାଇବା ସେମାନଙ୍କ ପାଇଁ ଭଲ।

ତେବେ ଏହି ରୋଗୀ କେଉଁ ଖାଦ୍ୟ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ ତାହା ମଧ୍ୟ ଜାଣିବା ନିହାତି ଦରକାର। ଖାଦ୍ୟ ତାଲିକାରେ ତଟକା ଫଳମୂଳ, ଶାଗ ଓ ପନିପରିବା ସାମିଲ କରନ୍ତୁ। କାକୁଡି, ଟମାଟୋ, ଗାଜର, ମୂଳା, ଧନିଆପତ୍ର ଓ ଲେମ୍ବୁର ସାଲାଡ଼ ସେମାନଙ୍କ ପାଇଁ ବେଶ୍‌ ଉପକାରୀ। ଲେମ୍ବୁ, ଟମାଟୋ, କଞ୍ଚାଲଙ୍କା, ବନ୍ଧାକୋବି, ଫୁଲକୋବି, ଶାଗ ଓ ପିଜୁଳିରୁ ଭିଟାମିନ୍‌ ‘ସି’ ଭରିରହିଛି, ଯାହା ହୃତ୍‌ପିଣ୍ଡ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ।